ବର-କନିଆ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ

- ମଇ ୨୬ରେ ଲଗ୍ନଧରା ଓ ଜୁନ ୬ରେ ବାହାଘର
ବାଲେଶ୍ୱର : ଲୋକକଳା, ଲୋକସସ୍କୃତି,ଲୋକଶ୍ରୃତି, ଲୋକକଥା, ଲୋକସାହିତ୍ୟ ଓ ଲୋକପରମ୍ପରାର ଅଦ୍ୱିତୀୟ ଲୋକପର୍ବ ବାଲେଶ୍ୱରର ଜଉକଣ୍ଢେଇ ବାହାଘର । କେବଳ ଓଡିଶାରେ ନୁହଁ, ସାରା ଭାରତରେ ଏହି ଭଳି ଏକ ଲୋକପର୍ବ ବିରଳ । ଜାତି-ଧର୍ମ-ବର୍ଣ୍ଣ ଊର୍ଦ୍ଧ୍ୱରେ ଏହି ପର୍ବରେ ପୁରାତନକୁ ଉଦଜ୍ଜିବିତ ରଖିବା ସହ ନୂତନତାକୁ ସମ୍ମାନ ଦିଆଯାଇ ୨୦୧୧ରୁ ନୂତନ କରି ଆରମ୍ଭ ହୋଇ ଆଗେଇ ଚାଲିଛି । ଏହି ପର୍ବ ପାଳନର ଆରମ୍ଭରୁ ବାଲେଶ୍ୱରର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ପ୍ରସ୍ତୁତ ଏକ ନିର୍ଧାରିତ ପିକାରେ ପାଳନ କରାଯାଇ ଆସୁଛି । ପିକାନୁଯାୟୀ ଅଢେଇ ମାସ ଧରି ପାଳିତ ହେଉଥିବା ଏହି ଲୋକଧର୍ମୀ ପର୍ବଟି ଦୋଳ ପୂର୍ଣ୍ଣିମାରୁ ବର-କନିଆ ଜଉକଣ୍ଢେଇର ନାମକରଣ ଦୋଳ ପୂର୍ଣ୍ଣିମାରେ ଆରମ୍ଭ ହୋଇ ରାମନବମୀରେ ବର-କନିଆ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ, ଚନ୍ଦନ ପୂର୍ଣ୍ଣୀମାରେ ଲଗ୍ନଧରା ଓ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ବାହାଘର ହୋଇ ସାବିତ୍ରୀ ଅମାବସ୍ୟାର ଆଗ ଦିନ ଚତୁର୍ଥୀ ଭୋଜି ପରେ ସମାପ୍ତ ହୁଏ । ଏକ ବିଲୁପ୍ତ ଲୋକକଳାକୁ ଉଦଜ୍ଜିତ କରି ପ୍ରଚର, ପ୍ରସାର ଓ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଜଉକଣ୍ଢେଇ ବାହାଘର ଉତ୍ସବଟି ଦିନକୁ ଦିନ ଲୋକାଦୃତ ହୋଇ ଲୋକପର୍ବରେ ପରିଣତ ହେଲାଣି । ଏହି ଉତ୍ସବରେ ସବୁ ସମ୍ପ୍ରଦାୟ, ସବୁ ବର୍ଗ, ସବୁ ଜାତି ଓ ସବୁ ସ୍ତରର ବାଲେଶ୍ୱରବାସୀ ସାମିଲ ହୋଇ ଭାରତର ଏକ ଅନନ୍ୟ ପର୍ବ ଭାବେ ପ୍ରତିଷ୍ଠିତ କରିବା ପାଇଁ ବଦ୍ଧ୍ୟପରିକାର । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପିକାନୁଯାୟୀ ପବିତ୍ର ହୋଲି ପୂର୍ଣ୍ଣୀମା ଅବସରରେ ବର-କନିଆ ଜଉକଣ୍ଢେଇର ନାମ ପଶ୍ଚିମ ଓଡିଶାର ସମଲେଇ ଓ ଶମ୍ଭୁନାଥ ଘୋଷଣା କରାଯାଇଥିବା ବେଳେ ପବିତ୍ର ରାମନବମୀରେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି ।
ବାଲେଶ୍ୱର ସହର ଉପକଣ୍ଠ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ଆୟୋଜିତ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ଆନୁଷ୍ଠାନିକ ଭାବେ ଉଦଘାଟକ ଭାବେ ତ୍ରୀବେଣୀଶ୍ୱର ଭାଗବତ ପୀଠର ମଠାଧୀଶ ଦୟାନନ୍ଦ ଦାସ ମହାରାଜ ଉଦଘାଟନ କରି ଜଉକଣ୍ଢେଇ ବାଲେଶ୍ୱରର ବହୁ ପୁରାତନ କଳା ସଂସ୍କୃତି ବୋଲି ମତ ପ୍ରଦାନ କରିଥିବା ବେଳେ ବୈଦିକ ଯୁଗରୁ ବାଲେଶ୍ୱର ଓ କଣ୍ଢେଇ ବିଷୟରେ ବର୍ଣ୍ଣନା କରିଥିଲେ । ଅମୃତବେଳାରେ ବୁଢାବଳଙ୍ଗ, ଗଙ୍ଗାହାର ଓ ସୋଣ ନଦୀର ସଂଗମସ୍ଥଳ ତ୍ରୀବେଣୀ ଘାଟରୁ ଯଥା ବିଧି ପୂଜାପାଠ କରାଯାଇ ନିରନ ଗିରିଙ୍କ ତତ୍ୱାବଧାନରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ନିର୍ମାଣ ପାଇଁ ଶୁଦ୍ଧପୁତ ଭାବେ ମାଟି ଓ ଜଳ ନେଇ ଦୁବଲାଗଡରେ ପହଂଚିଥିଲେ । ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ ମଂଚ ଆହ୍ୱାନ କରିଥିବା ସହ ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ପୌରହିତ୍ୱ କରିଥିଲେ । ବାବାଜୀ ଦୟାନନ୍ଦ ଦାସ ଗୁପ୍ତ ପ୍ରୟାଗ ତ୍ରିବେଣୀ ତୀର୍ଥର ପବିତ୍ର ମାଟି ଓ ପାଣିକୁ ପୂଜା କରିବା ପରେ ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସଙ୍କ ନେତୃତ୍ୱରେ ସାଥୀ ଶିଳ୍ପୀ ସୁରେଖା ବେହେରା, ରାଧାମଣୀ ସାହୁ, ମାୟା ନାୟକ, ସୁକାନ୍ତି ସାହୁ, ପୁଷ୍ପିତା କରଣ, କବିତା ଦେ, ଫୁଲମଣୀ ସରେନ, ଭାନୁମତି ସାହୁ, ରଜନୀ ସାହୁ ଉକ୍ତ ମାଟି ଓ ପାଣିରେ ଜଉକଣ୍ଢେଇ ଗଢିବା ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ନୂଆ ବାଲେଶ୍ୱର ଉନ୍ନୟନ କମିଟିିର ସଭାପତି ଭଗବାନଦାସ ଖଣ୍ଡେଲଓାଲ ଯୋଗ ଦେଇଥବା ବେଳେ ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ ପ୍ରମୁଖ କମିଟିର କର୍ମକର୍ତା ଯୋଗଦେଇଥିଲେ । ସରକାରୀ କୋଭିଡ ନିୟମ ପାଳନ କରାଯାଇ ଥିଲାସେଳେ ଶେଷରେ କମିଟିର ସଦସ୍ୟା କାଂଚନବାଲା ପାତ୍ର ଆନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରଦାନ କରିଥିଲେ । ଭୀମପୁରାସ୍ଥ କୋଶମ୍ବ ନଗରର ଦୁବଲାଗଡରେ ଏକ ମାସ ଧରିି ମାଗଣା ଜଉକଣ୍ଢେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ତରଫରୁ ଘୋଷଣା କରିଯାଇଥିଲା । ଆସନ୍ତା ମଇ ୨୬ ଚନ୍ଦନ ପୂର୍ଣ୍ଣୀମାରେ ଲଗ୍ନଧରା ଏବଂ ଜୁନ ୬ରେ ବାହାଘର କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ତରଫରୁ ଘୋଷଣା କରାଯାଇଛି ।