ଡୋମିନିକାରୁ ଧରାପଡ଼ିଲେ ଫେରାର ମେହୁଲ ଚୋକସୀ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଘୋଟାଲାର ଅଭିଯୁକ୍ତ ଏବଂ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ନେଇ ବଡ଼ ଖବର ମିଳିଛି। ମେହୁଲ ଚୋକସୀକୁ ଡୋମିନିକାରେ ଟ୍ରେସ୍ କରାଯାଇଛି। ସେଠାକାର ପୋଲିସ ତାକୁ ଗିରଫ କରିଛି। ଏହା ସହ ଆଣ୍ଟିଗୁଆ ପୋଲିସ ପକ୍ଷରୁ ଡୋମିନିକା ପ୍ରଶାସନ ସହିତ ସମ୍ପର୍କ କରାଯାଉଛି। ଗତ କିଛି ଦିନ ହେଲା ମେହୁଲ ଚୋକସୀ ଆଣ୍ଟିଗୁଆରେ ଲୁଚିଥିଲା। ସେ ତାର ଠିକଣା ବଦଳାଇଥିଲା ବୋଲି କୁହାଯାଉଛି। କିନ୍ତୁ ଏବେ ଡୋମିନିକା ପୋଲିସ ତାକୁ ଗିରଫ କରିଛି। ଏହା ସହ ଖୁବଶୀଘ୍ର ତାକୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।
ସୂଚନା ଯେ, ୨୩ ମେ’ରୁ ମେହୁଲ ଚୋକସୀ ଆଣ୍ଟିଗୁଆରୁ ଫେରାର ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ମେହୁଲ କ୍ୟୁବା ଯାଇଥିବା ନେଇ ସନ୍ଦେହ କରାଯାଉଥିଲା। ସେଠାରେ ତାର ଏକ ବିଶାଳ ଘର ମଧ୍ୟ ଅଛି। କିନ୍ତୁ ସେ ଡୋମିନିକାରେ ଥିବା ନେଇ ଖବର ମିଳିବା ପରେ ସେଠାକାର ପୋଲିସ ତାକୁ ଗିରଫ କରିଛି। ଆଣ୍ଟିଗୁଆରୁ ମେହୁଲ ଫେରାର ହେବା ଆଶ୍ଚର୍ଯ୍ୟକର ନୁହେଁ କାରଣ ଭାରତ ସରକାର ଲଗାତାର ଆଣ୍ଟିଗୁଆ ସରକାରଙ୍କୁ ତାର ନାଗରିକତା ରଦ୍ଦ କରିବାକୁ ନେଇ ଚାପ ପକାଉଥିଲେ। ସେଠାକର ଅଧିକାରୀଙ୍କ ଉପରେ ଚାପ ଥିବା ବେଳେ ଚୋକସୀ ମଧ୍ୟ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲା। ଏହି ସମୟରେ ନିଜର ଠିକଣା ବଦଳାଇବାକୁ ସେ ଉଚିତ ମଣିଥିବ। ସେ ଯାହା ହେଉ ଡୋମିନିକା ପୋଲିସ୍ ମେହୁଲ ଚୋକସୀକୁ ଗିରଫ କରିଥିବା ବେଳେ ତାକୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।