ଭାଗ୍ୟ ବଦଳାଇଲା ମୁଦି
ଭାଗ୍ୟ ଉପରେ କାହାର ପ୍ରଭାବ ଅଛି । ଏହା କେତେବେଳେ କାହା ପକ୍ଷରେ ରହିବ, ତାହା କାହାକୁ ବି ଜଣାନଥାଏ । ବ୍ରିଟେନ୍ର ଜଣେ ମହିଳାଙ୍କ କ୍ଷେତ୍ରରେ ଏଭଳି ଏକ ଚମତ୍କାର ଘଟିଛି । ୩୩ ବର୍ଷ ପୂର୍ବେ ଡେବ୍ରା ଗୋଡାର୍ଡ ନାମକ ଏହି ମହିଳା ମାତ୍ର ୯୨୫ ଟଙ୍କା ମୂଲ୍ୟରେ ଗୋଟିଏ ମୁଦି କିଣିଥିଲେ । କିନ୍ତୁ ନିକଟରେ ଜଣାପଡ଼ିଛି, ମୁଦିର ପ୍ରକୃତ ମୂଲ୍ୟ ପ୍ରାୟ ୬.୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ । ୩୩ ବର୍ଷ ପୂର୍ବେ କିଣିଥିବା ମୁଦିଟି ବିଷୟରେ ଡେବ୍ରାଙ୍କୁ କିଛି ବି ଜଣାନଥିଲା । କିଣିବା ଦିନରୁ ମୁଦିର ଚମକ୍ ଦିନକୁ ଦିନ ବଢ଼ିବାରେ ଲାଗିଲା ପଛକେ କମିଲା ନାହିଁ । ଅନେକଥର ମୁଦିଟି ପୁରୁଣା ହୋଇଗଲାଣି ଭାବି ଡେବ୍ରା ତାକୁ ଫିଙ୍ଗିବାକୁ ବି ଚେଷ୍ଟା କରିଥିଲେ । କିନ୍ତୁ ତା’ର ଚମକ୍ ଦେଖି ପଛଘୁଂଚା ଦେଉଥିଲେ । ନିକଟରେ ମୁଦିଟିକୁ ନେଇ ଏକ ଗହଣା ଦୋକାନକୁ ଯାଇଥିବା ବେଳେ, ଏହା ପଛର ପ୍ରକୃତ ରହସ୍ୟ ଜାଣି ଆଶ୍ଚର୍ଯ୍ୟ ହେଲେ । ଯାହାକୁ ସେ ସାଧାରଣ ମୁଦି ବୋଲି ଭାବୁଥିଲେ, ତା’ର ମୂଲ୍ୟ ଯେ କୋଟି କୋଟି ଟଙ୍କା; ବିଶ୍ୱାସ କରିପାରିଲେ ନାହିଁ । ପ୍ରକୃତରେ ମୁଦିଟି ଥିଲା ଅସଲି ହୀରା । ୨୬.୨୭ କ୍ୟାରେଟ୍ ହୀରାରେ ତିଆରି ହୋଇଛି ଏହି ମୁଦି ।