ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ଜାରି : ଓଡ଼ିଶାର ୪ ସାମିଲ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏନଆଇଆରଏଫ (ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମଓ୍ବାର୍କ) ରାଙ୍କିଙ୍ଗ୍ ୨୦୨୧ ପ୍ରକାଶିତ ହୋଇଛି । ଏଥିରେ ଦେଶର ୧୦୦ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶିତ ହୋଇଛି । ଏହା ମଧ୍ୟରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଥିବା ବେଳେ କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । ଓଡ଼ିଶାର ସୋଆ ୩୭ ନମ୍ବରରେ ଥିବାବେଳେ କିଟ୍ ୩୯, ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି ।
ସେହିପରି ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ୨୦, କିଟ୍ ୨୧ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ନମ୍ବର ସ୍ଥାନରେ ରହିଛି । ପୂର୍ବରୁ ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ୯୬ ନମ୍ବର ସ୍ଥାନରେ ରହିଥିଲା । ମେଡିକାଲ କଲେଜ ବର୍ଗରେ ସୋଆ ୨୧, ଏମ୍ସ ଭୁବନେଶ୍ୱର ୩୧, କିଟ୍ ୩୬, ଏସସିବି ୩୯ ନମ୍ବର ସ୍ଥାନରେ ରହିଛି । ଏହାବାଦ୍ ଇଞ୍ଜିନିୟରିଂ ବର୍ଗରେ ଏନଆଇଟି ରାଉରକେଲା ୨୦, ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ୧୦୦ ନମ୍ବର ସ୍ଥାନରେ ରହିଛି । ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ କିଟ ୩୧ ତମ ସ୍ଥାନରେ ଥିବାବେଳେ ଏକ୍ସଆଇଏମବି ୩୪ ତମ ସ୍ଥାନ, ଆଇଆଇଏମ ସମ୍ବଲପୁର ୬୧ତମ ଓ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଭୁବନେଶ୍ବର ୬୧ ତମ ସ୍ଥାନରେ ରହିଛି ।