କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ୍ ଲାଗୁ
ବେଙ୍ଗାଲୁରୁ : କର୍ଣ୍ଣାଟକରେ କରୋନା ସ୍ଥିତି ଅଣାୟତ ହେବାକୁ ଲାଗିଲାଣି । ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍ (କୋଭିଡ୍ କର୍ଫ୍ୟୁ) ଲାଗୁ କରିଛନ୍ତି । ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ . ୟେଦିୟୁରପ୍ପା । ୧୪ ଦିନ ଯାଏଁ କର୍ଣ୍ଣାଟକରେ ଲକଡାଉନ୍ ଲାଗୁ ରହିବା ନେଇ ଘୋଷଣା କରାଯାଇଛି । ଲକଡାଉନ୍ (କୋଭିଡ୍ କର୍ଫ୍ୟୁ) ସମୟକୁ କିଛିଟା କୋହଳ ମଧ୍ୟ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟାରୁ ଦିନ ୧୦ ଟା ଯାଏଁ କଟକଣା କୋହଳ କରାଯାଇଛି । ଦିନ ୧୦ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଚାଲୁ ରଖିବା ପାଇଁ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି । ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜରୁରୀ ସେବାକୁ ଲକଡାଉନ୍ ରୁ ବାଦ ଦିଆଯାଇଛି । ସର୍ବସାଧାରଣ ପରିବହନ ବନ୍ଦ ରହିବା ନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।
ସୂଚନା ଯେ, କର୍ଣ୍ଣାଟକରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩୪,୮୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେବଳ ବେଙ୍ଗଲୁରୁରେ ୨୦,୭୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ବାଧ୍ୟ ହୋଇ ୧୪ ଦିନିଆ ଲକ୍ଡାଉନ୍ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ।