କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖିଲା ଟୁଇଟର

ମୁମ୍ବାଇ : ସୋସିଆଲ ମିଡିଆରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଶକ୍ତ ଝଟ୍କା ଲାଗିଛି । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ କଙ୍ଗନା ରଣାୱତ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟୁଇଟ କରିବା ସହ ରବିବାର ପଶ୍ଚିମବଙ୍ଗରେ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ଘଟିଥିବା ହିଂସା ପାଇଁ ଅଭିନେତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ।
ଲଗାତାର ଭାବେ ମମତା ବାନାର୍ଜୀ ଏବଂ ଟିଏମସି ବରୁଦ୍ଧରେ ଟ୍ୱିଟ କରୁଥିଲେ କଙ୍ଗନା ରଣାୱତ । ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁହେଉ ବୋଲି ଦାବି କରିଥିଲେ ସେ । ତାଙ୍କର ଟ୍ୱିଟର ଆକାଉଣ୍ଟ ବ୍ୟାନ ହେବାପରେ ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ଅନେକ ଘଟଣାକୁ ନେଇ ବିବାଦ ଘେରକୁ ଆସିଥିଲେ କଙ୍ଗନା । ଏ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥାଏ । ତେବେ ବର୍ତ୍ତମାନ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ ହେବା ପରେ କିଛି ସୋସିଆଲ ମିଡିଆ ୟୁଜର ଏହାକୁ ସମର୍ଥନ କରୁଥିବା ବେଳେ କିଛି ୟୁଜର ବିରୋଧ ମଧ୍ୟ କରୁଛନ୍ତି । ଟ୍ୱିଟର ଆକାଉଣ୍ଟ ବ୍ୟାନ୍ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ସେ କହିଛନ୍ତି, ‘ମୋ ପାଇଁ ଅନେକଗୁଡିଏ ବିକଳ୍ପ ରହିଛି । ଲୋକମାନଙ୍କ ନିକଟରେ ସ୍ୱର ପହଞ୍ଚାଇବା ପାଇଁ କେବଳ ଟ୍ବିଟର ଏକ ମାଧ୍ୟମ ନୁହେଁ । ଅନ୍ୟ ସୋସିଆଲ ମିଡିଆ ମଧ୍ୟ ରହିଛି ଯାହା ଦ୍ବାରା ମୁଁ ଲୋକମାନଙ୍କ ନିକଟରେ ପହଞ୍ଚି ପାରିବି ।’