ବିହାରରେ ମେ ୧୫ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ
ପାଟନା : ବିହାରରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ ୧୫ ଯାଏଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାସହ ହସ୍ପିଟାଲରେ ଶଯ୍ୟାର ଅଭାବ ଓ ଅମ୍ଲଜାନର ଅଭାବ ମଧ୍ୟ ସାମ୍ନାକୁ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ଚାପ ପଡ଼ିଆସୁଥିବା ବେଳେ ଏବେ ବିହାର ସରକାର ରାଜ୍ୟକୁ ଲକଡାଉନ କରିଛନ୍ତି।
ତେବେ ଲକଡାଉନ ବେଳେ ସମସ୍ତ ଜରୁରୀକାଳିନ ସେବା ଜାରି ରହିବ । ଲୋକମାନେ ଜରୁରୀ ସେବା ପାଇଁ ସୁବିଧାରେ ଯିବାଆସିବା କରିପାରିବେ । ହେଲେ ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଯେ, ବର୍ତ୍ତମାନ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇ ସାରିଛି । ଏମାନଙ୍କ ମଧ୍ୟରେ ୩ ଲକ୍ଷ ୯୮ ହଜାର ୫୫୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ହେଲେ ୧୦୭୬୬୭ ଜଣ ଏବେ ସୁଦ୍ଧା ସକ୍ରିୟ ରହିଛନ୍ତି । ସେପଟେ ୨ ହଜାର ୮୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି ।