ରାଜ୍ୟରେ ଆହୁରି ୪ଦିନ ଜାରି ରହିବ ତାତି
ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ଦିନ ଜାରି ରହିବ ତାତି । ୨୮ ପରେ କମିବ ପ୍ରକୋପ । ପାଣିପାଗବିତ୍ ଏଭଳି ପୂର୍ବାନୁମାନ କରିଛନ୍ତି । ତେବେ ଶନିବାର ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ତେବେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଉପକୁଳ ଓଡ଼ିଶାରେ ମେ’୧ରୁ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଏହା ୩ରୁ ୪ଦିନ ଲାଗି ରହିପାରେ । ବର୍ଷାର ପରିମାଣ ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ହୋଇପାରେ । ତେବେ ବର୍ଷାର ଉପଯୋଗ କରିବା ପାଇଁ ଖରାଟିଆ ଚାଷ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଡାଳୁଅ ଧାନ, ଚିନାବାଦାମ ପାଚି ଯାଇଥିଲେ ଅମଳ କରିବାକୁ କହିଛନ୍ତି । କେରଳରେ ଠିକ ସମୟରେ ମୌସୁମୀ ଛୁଇଁବା ପାଇଁ ପରିସ୍ଥିତି ଅନୁକୁଳ ହେବାର ସୂଚନା ମିଳୁଛି ବୋଲି ସେ ଆକଳନ କରିଛନ୍ତି ।
ସେହିପରି କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ସପ୍ତାହରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠୁ କମ ରହିବ । ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଜିଲ୍ଲାରେ ୨୫ ପରେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରରେ ୨୮ ପରେ ତାପମାତ୍ରା ବିଶେଷ କମିବ । କୌଣସି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବ ନାହିଁ । ଉପକୂଳ ଜିଲ୍ଲାଗୁଡିକରେ ୩୫ରୁ ୩୭ ଡିଗ୍ରୀ ସେଲସିୟସ୍ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଆଉ ୨ ଡିଗ୍ରୀ ସେଲସିସୟ୍ ଅଧିକ ରହିପାରେ ବୋଲି ସେ ଆକଳନ କରିଛନ୍ତି । ତେବେ ୨୮ ପରେ ବଙ୍ଗୋପସାଗରରୁ ପବନ ବୋହିବ । ଯାହା ଓଡ଼ିଶା ଦେଇ ସଂଲଗ୍ନ ରାଜ୍ୟଗୁଡିକ ବୋହିବାର ସମ୍ଭାବନା ରହିଛି । ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଶନିବାର କାଳବୈଶାଖି ପ୍ରଭାବ କମ ରହିବ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ତେବେ ତାପମାତ୍ରା ବଢ଼ିବ, ମାତ୍ର ସ୍ୱାଭାବିକ ରହିବ ବୋଲି ସେ ଆକଳନ କରିଛନ୍ତି ।
ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ୨୯ରୁ ପାଗ ବଦଳିବ । ୨୮ ପର୍ଯ୍ୟନ୍ତ ତାପମାତ୍ରା ବିଶେଷ ବଢ଼ିବନି । ଆଭ୍ୟନ୍ତରୀଣ ଓଡ଼ିଶ।।ରେ କିଛି ସ୍ଥାନରେ ତାପମାତ୍ରା ୪୦ ଟପିବ ବୋଲି ସେ ଆକଳନ କରିଛନ୍ତି । ଶନିବାର ବୌଦ୍ଧ ଓ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରହିଥିଲା । ଝାରସୁଗୁଡ଼ା ଓ ମାଲକାନଗିରିରେ ୩୯ ଡିଗ୍ରୀ ସେଲସିୟସ୍ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୩ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଆଜି କାଁ ଭାଁ କିଛି ସ୍ଥାନରେ କାଳବୈଶାଖିତେବେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, କଟକ ଓ ବାରିପଦାରେ କାଁ ଭାଁ ବର୍ଷା ହୋଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି । ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।