ଆଜି ୧୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା!

ଭୁବନେଶ୍ୱର : ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆସନ୍ତା ୧୫ ତାରିଖ ଯାଏ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। ରାଜ୍ୟରେ ତାତି କମିବ ଓ ପାଗ ଥଣ୍ଡା ରହିବ। ସୋମବାର ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରାୟ ପ୍ରତିଦିନ ଏହା ପ୍ରଭାବରେ ବର୍ଷା ହେବ । ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ କହିଛନ୍ତି।
ସୋମବାର କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ। ସେହିଭଳି ୧୩ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ। ୧୫ ତାରିଖ ଦିନ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୩୦ରୁ ୪୦ ମିମି ବେଗରେ ପବନ ବହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର ଓ ଭଦ୍ରକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ୧୫ରେ ଟ୍ରପଲାଇନ୍ ପ୍ରଭାବରେ ଅଧିକ ବର୍ଷା ହେବ । ଯାହା ୧୬ ପର୍ଯ୍ୟନ୍ତ ଅନୁଭୁତ ହେବ । ତେବେ ୧୯ରୁ ତାତି ପୁଣି ଲେଉଟିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ରବିବାର ସକାଳ ୮ଟା୩୦ ସୁଦ୍ଧା ରାୟଗଡ଼ାରେ ୮ ମିଲିମିଟର, ମାଲକାନଗିରିରେ ୭ ମିଲିମିଟର ଓ କୋରାପୁଟରେ ୪ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।