ଟିକାକରଣ ପରେ ୪୫ ଦିନ ପର୍ଯ୍ୟନ୍ତ ମଦ୍ୟପାନ ଠାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ

ନୂଆଦିଲ୍ଲୀ : ଦେଶରେ ଏବେ ମହାମାରୀ କରୋନାର ଦ୍ଵିତୀୟ ଲହର ଦେଖାଦେଇଛି । ଫଳରେ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭାରତ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରି ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ମାତ୍ର ଭ୍ୟାକ୍ସିନ୍ ନେବା ଯେତିକି ଜରୁରୀ ଏହା ପରେ କିଛି ଜିନିଷକୁ ଧ୍ୟାନରେ ରଖିବା ମଧ୍ୟ ସେତିକି ଜରୁରୀ । ଭ୍ୟାକ୍ସିନ୍ ନେବା ପୂର୍ବରୁ ଏବଂ ପରେ କିଛି ବିଶେଷ କଥାର ଧ୍ୟାନ ଦେବା ଆବଶ୍ୟକ, ନଚେତ୍ ଏହାର ସାଇଡ୍ ଇଫେକ୍ଟ ହୋଇପାରେ ବୋଲି ନିକଟରେ ଟିଏସି ଗାଇଡଲାଇନ ଜାରି କରିଛି।
ଗାଇଡଲାଇନ ଅନୁଯାୟୀ, ଭ୍ୟାକ୍ସିନ୍ ନେବା ପୂର୍ବରୁ ଏବଂ ପରେ ଅତି କମରେ ୪୫ ଦିନ ପର୍ଯ୍ୟନ୍ତ ମଦ୍ୟପାନ, ଡ୍ରଗ୍ସ, ତମାଖୁ, ସିଗାରେଟ୍ ଇତ୍ୟାଦିରୁ ଦୂରେଇ ରହିବା ଭଲ । ନଚେତ୍ ଏହାର ପ୍ରଭାବ ଇମ୍ୟୁନ୍ ସିଷ୍ଟମ୍ ଉପରେ ପଡିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକାକରଣ ପରେ ମଦ୍ୟପାନ କରିବା ଲିଭର ଫଙ୍କସନ୍ କୁ ଖରାପ କରିପାରେ । ଏହି କାରଣରୁ, ବ୍ୟକ୍ତିର ଇମ୍ୟୁନ୍ ସିଷ୍ଟମ୍ ଭଲ ଭାବରେ ରେସପନ୍ସ କରିବ ନାହିଁ । ଏଥି ସହିତ, ଶରୀରରେ ଭ୍ୟାକ୍ସିନ୍ ର ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ମଦ୍ୟପାନ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ । ଅନ୍ୟପକ୍ଷରେ ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ ପାଇଁ ଜାରୀ କରାଯାଇଥିବା ଗାଇଡଲାଇନ୍ ରେ ମଧ୍ୟ ଏହି କଥା କୁହାଯାଇଛି ଯେ ଭ୍ୟାକ୍ସିନ୍ ନେବା ପୂର୍ବରୁ ଏବଂ ପରେ ମଦ୍ୟପାନ କରନ୍ତୁ ନାହିଁ । ଅତି କମରେ ୪୨ ଦିନର ବ୍ୟବଧାନରେ ଜଣେ ବ୍ୟକ୍ତିଙ୍କୁ ୨ଟି ଇଞ୍ଜେକ୍ସନ୍ ଦିଆଯିବ । ତେଣୁ ଭ୍ୟାକିସିନ୍ ନେଉଥିବା ଲୋକଙ୍କୁ ଏତେ ଦିନ ପର୍ଯ୍ୟନ୍ତ ମଦ୍ୟପାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।