ମହାରାଷ୍ଟ୍ରରେ କାଲି ଠାରୁ ୧୪୪ ଧାରା ଜାରି

- ଜରୁରୀ ସେବାକୁ ବାଦ୍ ଦେଲେ ସବୁ ବନ୍ଦ
ମୁମ୍ବାଇ: ମହାରାଷ୍ଟ୍ରର ସମସ୍ତ ଜିଲ୍ଲାରେ ଏବେ କରୋନାର ଦ୍ୱିତୀୟ ଲହର ମାତ୍ରା ବୃଦ୍ଧି ପାଉଛି । ପ୍ରତିଦିନ ୫୫ହଜାରରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ ହେଉଥିବା ଯୋଗୁଁ ସରକାରଙ୍କ ଚିନ୍ତା ବଢିଛି । ଫଳରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ରାତି ୮ଟା ୩୦ମିନିଟ୍ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ରାଜ୍ୟରେ ଆଗାମୀ ବୁଧବାର ରାତି ୮ଟାରୁ ସଂଚାର କଟକଣା ଜାରି କରିଛନ୍ତି । ଏହା ସହିତ ୧୪୪ ଧାରା ମଧ୍ୟ ୧୫ଦିନ ପାଇଁ ଜାରି କରାଯିବ ବୋଲି ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟରେ ସିନେମା ହଲ, ମଲ୍ଟିପ୍ଲେକ୍ସ, ବାର, ୱାଟର ପାର୍କ, ସିନେମା ସୁଟିଂ, ସିରିଏଲ୍ ସୁଟିଂ ବନ୍ଦ ରଖାଯାଇଛି । ଦିନ ଓ ରାତିରେ ଲୋକାଲ ଟ୍ରେନ୍, କାର, ଟ୍ୟାକ୍ସି, ବସ୍ ଚଳାଚଳ କରିବ । ଏହି ସଂଚାର କଟକଣା ଜନତା କର୍ଫ୍ୟୁ ଭଳି ହେବ ବୋଲି ସେ ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପ ଓ ଇ କମର୍ଶ ଦୋକାନ ଖୋଲା ରହିବ । ତେବେ ସେଲୁନ୍ ବନ୍ଦ ରହିବ । ଏହା ଦ୍ୱାରା ଅଟୋରିକ୍ସା ଚାଳକ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ମାସିକ ୧୫ଶହ ଟଙ୍କା ଭତା ସରକାର ପାଳନ କରିବେ । ପଂଜିକୃତ ଫେରିବାଲାଙ୍କୁ ମଧ୍ୟ ମାସିକ ୧୨ଶହ ଟଙ୍କା ମିଳିବ । ତେବେ ଫେରିବାଲା ଓ ଅଟୋଚାଳକ ମାନେ ପୂର୍ବରୁ ମାସିକ ୫ହଜାର ଟଙ୍କା ଭତା ଦେବାପାଇଁ ଦାବି କରିଆସୁଥିଲେ । ଗରିବ ଲୋକମାନଙ୍କୁ ମାସିକ ମୁଣ୍ଡପିଛା ତିନିକିଲୋ ଗହମ ଓ ଚାଉଳ ସମେତ କିରୋସିନି ମାନଗଣାରେ ସରକାର ବଂଟନ କରିବେ । ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ ରାଜ୍ୟକୁ ଅଧିକ ୧୦କୋଟି ଟିକା ଓ ୧ହଜାର କୋଟି ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ନିଜେ ହସ୍ତକ୍ଷେପ କରିବାକୁ ସେ ପରାମର୍ଶ ଦେଇଛନ୍ତି ।