ହାଇଦରକୁ ଧରିବା ଲାଗି ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
- ୬ଟି ଟିମ୍ ଗଠନ, ସବୁ ଜିଲାର ଏସପିଙ୍କୁ ଆଲର୍ଟ
କଟକ : କଟକ ଏସସିବି ମେଡିକାଲ କଲେଜରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପରେ ବଢିଛି ତପ୍ତରତା । ହାଇଦରକୁ ଧରିବା ଲାଗି ୬ଟି ଟିମ୍ ଗଠନ କରାଯାଇଛି । ଅନ୍ୟପକ୍ଷରେ ହାଇଦର ଯେପରି ରାଜ୍ୟ ବାହାରକୁ ଖସି ନ ଯିବ ସେଥିଲାଗି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ସୀମାନ୍ତ ଦେଇ ଯାତାୟାତ କରୁଥିବା ଟ୍ରେନ ଓ ଅନ୍ୟାନ୍ୟ ଯାନବାହନକୁ ଯାଞ୍ଚ କରାଯାଉଛି। ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ଆଲର୍ଟ କରାଯାଇଛି । ହାଇଦରକୁ ଧରିବା ଲାଗି ରବିବାର ଡିଜିପି ଅଭୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ତେବେ ଏହି ବୈଠକରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇବବ୍ରାଞ୍ଚ ଏଡିଜି ଜସୱନ୍ତ ଜେଠାୱା, ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଜେ.ଏନ୍ ପଙ୍କଜ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ, ହାଇଦରକୁ ଧରିବା ଲାଗି ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି। ସବୁ ଜିଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଏସଟିଏଫ ୟୁନିଟ୍ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି। ଷ୍ଟେଶନ ଓ ପ୍ରମୁଖ ସଡ଼କ ପଥ ଉପରେ ନଜର ରଖାଯାଇଛି। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଖୁବଶୀଘ୍ର ହାଇଦରକୁ ଧରାଯିବ ବୋଲି କହିଛନ୍ତି।
ସୂଚନା ଯେ, ହାଇଦରର କିଛି ସହଯୋଗୀ ଏସସିବି ମେଡିକାଲରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ତା’କୁ ଫେରାର କରାଇ ଦେଇଥିବା ଜଣାପଡ଼ିଛି। ଗତ ୧୨ ଦିନ ତଳେ ହାଇଦରକୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେପଟେ ହସ୍ପିଟାଲରୁ ଯେତେବେଳେ ଏଭଳି ଗ୍ୟାଙ୍ଗଷ୍ଟାର ଫେରାର୍ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । କୁହାଯାଉଛି ହାଇଦରକୁ ଜଗିଥିବା ଜଣେ ମାତ୍ର ସୁରକ୍ଷାକର୍ମୀଙ୍କୁ ଅଚେତ୍ ଅବସ୍ଥାରେ ଠାବ କରାଯାଇଥିଲା । ଏବେ ହାଇଦରକୁ ଧରିବା ପାଇଁ କଟକ ସହରର ସମସ୍ତ ପ୍ରବେଶ ପଥ ସିଲ୍ କରି ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ୨୦୦୯ରେ ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିଲା ହାଇଦର । କେନ୍ଦୁଝର ଖଣି ବେପାରୀ ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ମଧ୍ୟ ଥିଲା ହାଇଦରର ହାତ । ହତ୍ୟା ମାମଲାରେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହାଇଦର କାଟୁଥିଲା ଆଜୀବନ ଜେଲ ଦଣ୍ଡ । ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଥିଲା ହାଇଦର । ତେବେ କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।