ଖରସ୍ରୋତା ଆନ୍ଦୋଳନ ମାମଲାରେ ୧୨୨ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
କଟକ : କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ଭାରୀଗଦା ଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପ (ଖରସ୍ରୋତା ଆନ୍ଦୋଳନ ମାମଲା)କୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ଓ ଘରୋଇ ସଂସ୍ଥା ପକ୍ଷରୁ ଦୁଇଟି ପୃଥକ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୨୨ଜଣଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।
ଘରୋଇ କମ୍ପାନି ପକ୍ଷରୁ ରୁଜୁ ଏତଲା ଆଧାରରେ ରାଜକନିକା ଥାନାରେ ଦାୟର ଦ୍ଵିତୀୟ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ନାୟକ ଓ ଶ୍ରୀ ଶର୍ମାଙ୍କ ସମେତ ୧୨୨ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗୁଆ ଜାମିନ ଆବେଦନର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଛନ୍ତି। ସୂଚନା ଯେ,ପୂର୍ବରୁ ଅଗଷ୍ଟ ୩୧ରେ ଗୋଟିଏ ମାମଲାରେ ଶ୍ରୀ ନାୟକ ଓ ଶ୍ରୀ ଶର୍ମାଙ୍କ ସମେତ ପ୍ରାୟ ୧୪୦ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା।