ଆଜିଠୁ ପ୍ରବଳ ବର୍ଷା
![](https://thetruths.in/wp-content/uploads/2021/06/images-49.jpeg)
- ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ଚିଠି
ଭୁବନେଶ୍ୱର : ପୂର୍ବ ମଧ୍ୟ ଏବଂ ଉତର-ପୂର୍ବ ବଙ୍ଗୋପସାଗରର ଏକ ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୧ତାରିଖ ବେଳକୁ ଉତର-ବଙ୍ଗୋପସାଗର ତଥା ତାର ଆଖପାଖ ଅଂଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ଗୁରୁବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷରେ ବଡ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଚିଠି କରିଛନ୍ତି । ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତେଣୁ ସେହି ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ସମ୍ଭାବନା ରହିଛି । ତେଣୁ ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସ୍ଆରସି ତାଗିଦ କରିଛନ୍ତି । ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଂଚଳ ଓ ତଳି ଅଂଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି । ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ବନ୍ୟା କଥା ବୁଝୁଥିବା ସବୁ ଅଫିସ୍ ୨୪ ଘଂଟିଆ କେଂଟ୍ରାଲ୍ ରୁମ୍ କରିବେ । ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ଆରସି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ , କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହିସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ବେଳକୁ ବର୍ଷାର ପରିମାଣ ବଢିପାରେ । ୧୦ ତାରିଖରୁ ୧୧ ତାରିଖ ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ , ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିପରି ମାଟିରାସ୍ତା ଧସିଯିବା, ପାହାଡ଼ିଆ ଅଂଚଳରେ ଭୂ-ସ୍ଖଳନ ଓ ମ୍ୟୁନିସିପାଲିଟି ଅଂଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ । ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ସତର୍କ କରାଇ ଦିଆଯାଇଛି । ଏହି ସମୟ ମଧ୍ୟରେ ମୟୁରଭଂଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ବରଗଡ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବଣ୍ଣପୁର ଓ ନବରଙ୍ଗପୁର ଜିଲ୍ଳାରେ ପ୍ରବଳ ବଷା ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୦ରୁ ୧୪ତାରିଖ ମଧ୍ୟରେ ବିଭିନ୍ନ ଅଂଚଳରେ ଝଡ଼ବର୍ଷା ସହ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅପରପକ୍ଷରେ ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଶନିବାର ସକାଳ ସାଢ଼େ ୮ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାଛଡ଼ା ଦେବଗଡ଼, ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟର ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଶନିବାର ସକାଳ ସାଢ଼େ ୮ଟାରୁ ରବିବାର ସାଢ଼େ ୮ଟା ଭିତରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ଼, ସମ୍ୱଲପୁର, ଅନୁଗୋଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଏମ୍ଡି । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଓ ରାୟଗଡ଼ା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।