ଥାନା ଭିତରେ ହଣାକଟା ଓ ଭଙ୍ଗାରୁଜ୍ଜା

ପୂର୍ବ ଶତ୍ରୁତାକୁ ନେଇ ଥାନାରେ ପଶି ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଥାନା ପାଲଟିଲା ରଣକ୍ଷେତ୍ର । ଥାନା ଭିତରେ ହଣାକଟା ଓ ଭଙ୍ଗାରୁଜ୍ଜା । ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ପୂର୍ବଶତ୍ରୁତାକୁ ନେଇ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ଉଭୟ ପକ୍ଷ ରେମୁଣା ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଥାନା ଭିତରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏମିତିକି ପୋଲିସ ଉପସ୍ଥିତିରେ ସଂଘବଦ୍ଧ ଆକ୍ରମଣ ଓ ଥାନାରେ ଭଙ୍ଗାରୁଜା ହୋଇଥିଲା । ତେବେ ଏହି ଆକ୍ରମଣ କିଛି ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଥାନାରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନା ଯେ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ମଙ୍ଗଳବାର ରାତି ୧୧ଟା ସମୟରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚିଥିଲେ । ସେହି ସମୟରେ ଆଉ ଏକ ଗୋଷ୍ଠୀର କିଛି ଲୋକ ତାଙ୍କ ପଛେପଛେ ଥାନାରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୋଲିସ ପ୍ରଥମେ ପହଞ୍ଚିଥିବା ଲୋକଙ୍କୁ ଆୟତ୍ତ କରୁଥିବା ସମୟରେ କିଛି ଉତ୍ତ୍ୟକ୍ତ ଲୋକେ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇଜଣ ଆହତ ହୋଇଥିଲେ । ଆହତ ଦ୍ବୟ ହେଲେ ରେମୁଣା ମାଧିପୁର ଗ୍ରାମର ରଘୁନାଥ ସାହୁ ଓ ପ୍ରମିତା ଦାସ । ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଚିକିତ୍ସା କରିଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ଜିଲ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । ତେବେ ପୋଲିସ ସାମ୍ନାରେ ଏଭଳି ଘଟଣା ଘଟିଥିବାରୁ ଆହତ ହୋଇଥିବା ଗୋଷ୍ଠୀର ଲୋକଙ୍କ ମଧ୍ୟରେ ରାତି ତମାମ୍ ଥାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରୁ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ କିମ୍ବା ପୋଲିସ କାହାରିକୁ ଅଟକ ରଖି ନାହିଁ । ମାତ୍ର ପୋଲିସ ସିସି କ୍ୟାମେରାରେ କଏଦ ହୋଇଥିବା ଫୁଟେଜ ଆଧାରରେ ଗଣ୍ଡଗୋଳକାରୀଙ୍କୁ ଖୋଜୁଥିବା କହୁଛି । ଉତ୍ତେଜନାକୁ ଦେଖି ଦୁଇ ପ୍ଲ।ଟୁନ ପୋଲିସ ମୁତୟନ ହୋଇଛନ୍ତି ।