ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଲାଗିବ ରୋପ୍-ୱେ

ପ୍ରଥମ ପର୍ଯ୍ୟାୟରେ ୨କୋଟି ଟଙ୍କା ମଞ୍ଜୁର
ବାଲେଶ୍ୱର : ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ହେବ ଆଧୁନିକୀକରଣ । ଲାଗିବ ରୋପ୍-ୱେ । ଏନେଇ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତା ବର୍ଷେ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡିଛି । ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ । ଏହାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି ।

ସୂଚନା ଯେ, ଉତ୍ତରଓଡ଼ିଶା ତଥା ବାଲେଶ୍ୱର ଜିଲା ନୀଳଗିରି ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର । ଜାତୀୟସ୍ତରୀୟ ପର୍ଯ୍ୟଟନର ମାନ୍ୟତା ପାଇବା ପରେ ପ୍ରତ୍ୟେହ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ପରିଦର୍ଶନରେ ଆସିଥାନ୍ତି । ଶୈବପୀଠକୁ ଯିବା ପାଇଁ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ପାହାଚ ଅତିକ୍ରମ କରିବାକୁ ପଡିଥାଏ । ମାତ୍ର ଏହା ପର୍ଯ୍ୟଟକଙ୍କ ପାଇଁ ସହଜ ହେଉନଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିଧାୟକ ଇଂ. ନାୟକ ଶୈବପୀଠରେ ରୋପ୍-ୱେ ବ୍ୟବସ୍ଥା ପାଇଁ ଗତ ୨୦୨୦ ଅଗଷ୍ଟ ୯ ତାରିଖରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ରୋପ୍-ୱେ ନିର୍ମାଣ ହେଲେ ପର୍ଯ୍ୟଟକମାନଙ୍କୁ ଗମନାଗମନରେ ସହାୟକ ହେବ ବୋଲି ଚିଠିରେ ଦର୍ଶାଇଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରଥମ ପର୍ଯ୍ୟାୟରେ ୨କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାକୁ ନେଇ ବିଧାୟକ ଇଂ. ନାୟକ ରାଜ୍ୟସରକାର ଏବଂ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।