ଟିକା ପାଇଁ ଗ୍ଲୋବାଲ ଟେଣ୍ଡର : ବିଡ୍ ଦାଖଲ କଲେ ୨ ସଂସ୍ଥା

ଭୁବନେଶ୍ୱର :୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ ଟିକା ଯୋଗାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଏହି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷଦିନ ଥିବାବେଳେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨ଟି ସଂସ୍ଥାର ଆବେଦନକୁ ଗ୍ରହଣ କରାଯାଇଛି । ଏହି ଦୁଇ ଆବେଦନକାରୀ ସଂସ୍ଥାର ମୂଲ୍ୟାଙ୍କନ କରାଯାଉଛି ।ଅପରପକ୍ଷରେ ରାଜ୍ୟ ମେଡିକାଲ ନିଗମର ସୂଚନା ଅନୁସାରେ ଆସନ୍ତା ୯ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରାଇସ୍ ବିଡ୍ ଖୋଲିବ । ଯେଉଁ ଦୁଇ ସଂସ୍ଥାର ଆବେଦନ ମିଳିଛି ତାକୁ ତର୍ଜମା କରାଯିବା ସହ ସେମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଟିକା ଦେଇପାରିବେ କି ନାହିଁ, ସେମାନେ ଟିକା ପାଇଁ ଧାର୍ଯ୍ୟ କରିଥିବା ଦର ଆଦିକୁ ବିଚାରକୁ ନିଆଯାଇ ଆସନ୍ତା ୯ତାରିଖରେ ଚୂଡ଼ାନ୍ତ ଘୋଷଣା କରାଯିବ ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୩.୮୦କୋଟି ଡୋଜ୍ କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି । ତେବେ ଗତ ଜୁନ୍ ୧ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଗ୍ଲୋବାଲ ଟେଣ୍ଡର ପାଇଁ ଦେଶର ଦୁଇ ଟିକା କମ୍ପାନୀ ଭାରତ ବାୟୋଟେକ ଓ ଶିରମ୍ ଇନଷ୍ଟିଚ୍ୟୁଟ୍ ଆଗ୍ରହୀ ନଥିବା କହିଥିବାବେଳେ ବିଦେଶୀ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଥିବା ଜଣାଇଥିଲେ ।