ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ
ଗଞ୍ଜାମ : ଗଞ୍ଜାମ ଜିଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲି ଠାରୁ ଆସନ୍ତା ୨୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । କୋଭିଡ ସଂକ୍ରମଣ ବୃଦ୍ଧି ପରେ ଜିଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ସମୟରେ ଧର୍ମାନୁଷ୍ଠାନ ସାନିଟାଇଜ କରାଯିବ ସହ କେବଳ ରୀତିନୀତି ପାଳନ ହେବ। ପାର୍କ, ଖେଳପଡିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ପଡ଼ିଆ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି। ଏହାଛଡ଼ା ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର, ଓ ବ୍ରହ୍ମପୁରଠାରେ କୋଭିଡ୍ କେୟାର୍ ସେଣ୍ଟର୍କୁ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍ ସେହିପରି ବ୍ରହ୍ମପୁରଠାରେ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍କୁ ପୁନର୍ବାର ଖୋଲାଯାଇଛି। ଖୁବ୍ ଶୀଘ୍ର ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସେ ସୂଚନା ଦେଇ କହିଛନ୍ତି।