ଏପ୍ରିଲ ୩୦ ଯାଏଁ ପ୍ରଥମରୁ ଦ୍ୱାଦଶ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଲକ୍ଷ୍ନୌ : ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨,୭୮୭ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ସଂକ୍ରମଣ। ଏଥିସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୭୬,୭୩୯ ଓ ମୃତ୍ୟୁସଂଖ୍ୟା ୯୦୮୫କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ସକ୍ରିୟ ମାମଲା ୫୮୮୦୧ ରହିଛି। ଏହାକୁ ଦେଖି ଯୋଗୀ ସରକାର ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଏପ୍ରିଲ ୩୦ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କରୋନା ପ୍ରୋଟୋକଲ ପାଳନ କରି ଆବଶ୍ୟକତା ଅନୁଯାୟୀ ଷ୍ଟାଫଙ୍କୁ ଡକାଯିବ ଏବଂ ନିର୍ଦ୍ଧାରିତ ପରୀକ୍ଷା କରିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବା ଉପରେ ରୋକ ଲଗାଯାଇଛି। ଯୋଗୀ ସରକାରଙ୍କ ତରଫରୁ ଏପ୍ରିଲ ୩୦ ଯାଏଁ ପ୍ରଥମରୁ ଦ୍ୱାଦଶ ଯାଏଁ ସମସ୍ତ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ପ୍ରାଇଭେଟ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ ୧୫ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ବର୍ତ୍ତମାନ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟାରେ ଏ ସମ୍ବନ୍ଧରେ ଆଦେଶ ଜାରି କରାଯିବ। ଉଚ୍ଚସ୍ତରୀୟ ଶିକ୍ଷା ସନ୍ଥ ଖୋଲିବା ନେଇ ବିଚାର କରାଯାଉଛି। କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ସେଥିରେ ମଧ୍ୟ କଡା କଟକଣା ଲାଗୁ କରାଯିବ। ପରୀକ୍ଷା ଆୟୋଜନ ଓ ଅନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ।