ଆସନ୍ତାକାଲି ମହାକୁମ୍ଭରେ ଶାହୀ ସ୍ନାନ କରିବେ ଶେଷ ହିନ୍ଦୁ ରାଜା

ହରିଦ୍ୱାର : ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଚାଲିଛି। କୁମ୍ଭ ମେଳାରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି। ନେପାଳ ରାଜା ହରିଦ୍ୱାର କୁମ୍ଭ ମେଳାରେ ସାମିଲ ହେବେ ବୋଲି ଜଣାପଡିଛି। ଏଥିପାଇଁ ସେ ରବିବାର ଦିନ ହରିଦ୍ୱାରରେ ପହଞ୍ଚିଛନ୍ତି। ନେପାଳର ଅନ୍ତିମ ରାଜା ଜ୍ଞାନେନ୍ଦ୍ର ବୀର ସିଂହ ଶାହ ସାଧୁ ସନ୍ଥଙ୍କ ସହ ଶାହୀ ସ୍ନାନ କରିବେ। ଜ୍ଞାନେନ୍ଦ୍ର ଶାହ ରବିବାର ସକାଳ ୯ଟାରେ କୁମ୍ଭ ନଗରୀରେ ପହଞ୍ଚିଛନ୍ତି। ସେ ଆଜି ଦକ୍ଷିଣ କାଳୀ ମନ୍ଦିରରେ ମଧ୍ୟ ଦର୍ଶନ କରିବେ। ସୋମବାର ଦିନ ଶାହୀ ସ୍ନାନ କରିବେ। ସ୍ନାନ ପରେ ଡେରାଡୁନ ଯିବେ।
ନେପାଳରେ ରାଜପରିବାର ଶାସନ ବହୁତ ପୁରାତନ ଯୁଗରୁ ଚାଲିଆସିଛି। ଏଠାରେ ଗୋଟିଏ ହିଁ ରାଜପରିବାର ଶାହ ବଂଶର ରାଜୁତି ଚାଲିଆସିଛି। ଏମାନେ ନିଜକୁ ପ୍ରାଚୀନ ଭାରତର ରାଜପୁତଙ୍କ ବଂଶଜ ବୋଲି କୁହନ୍ତି। ଏମାନେ ୧୭୬୮ ରୁ ୨୦୦୮ ଯାଏଁ ଦେଶରେ ଶାସନ କରିଥିଲେ। ୨୦୦୧ ଜୁନ ମାସରେ ରୟାଲ ପେଲେସ ଭିତରେ ନରସଂହାର ହୋଇଥିଲା ଯେଉଁଥିରେ ରାଜପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। କୁହାଯାଏ ଯେ କାଠମାଣ୍ଡୁ ସ୍ଥିତ ନାରାୟଣହିତି ରାଜମହଲରେ କୌଣସି ବିବାଦ ଯୋଗୁଁ କ୍ରାଉନ ପ୍ରିନ୍ସ ଦୀପେନ୍ଦ୍ର ଗୁଳି ବର୍ଷା କରି ସମସ୍ତଙ୍କୁ ହତ୍ୟା କରିଥିଲେ। ଏହାପରେ କ୍ରାଉନ ପ୍ରିନ୍ସଙ୍କ ଦାଦା ଜ୍ଞାନେନ୍ଦ୍ର ଶାହ ଗାଦି ସମ୍ଭାଳିଥିଲେ। ୨୦୦୮ମସିହାରେ ରାଜା ଶାସନ ସମାପ୍ତ କରିଦିଆଯାଇଥିଲା। ମେ ୨୮ ତାରିଖରୁ ଦେଶକୁ Federal Democratic Republic ଘୋଷିତ କରାଗଲା। ଏହାପରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କୁ ରାଜମହଲ ଖାଲି କରିବାକୁ କୁହାଯାଇଥିଲା। ସେ କିଛି ଦିନ ଯାଏଁ ନାଗାର୍ଜୁନ ପେଲେସରେ ରହିଲେ। ଏଠାରେ ଆଗରୁ ରାଜପରିବାର ଗ୍ରୀଷ୍ମ ଛୁଟି କାଟିବାକୁ ଆସୁଥିଲେ। ପରେ ସେଠାରେ ସ୍ଥାୟୀ ଭାବେ ରହିଲେ।୧୯୯୫ ରୁ ୧୯୭୨ ଯାଏଁ ନେପାଳରେ ରାଜ କରୁଥିବା ମହେନ୍ଦ୍ର ବିକ୍ରମ ଶାହଙ୍କ ସନ୍ତାନ ଜ୍ଞାନେନ୍ଦ୍ର ଶାହଙ୍କ ଜୀବନ ଉତ୍ଥାନ-ପତନ ଭରା ଥିଲା। ପ୍ରଥମେ ତାଙ୍କୁ ଯେତେବେଳେ ନେପାଳର ଶାସକ ଘୋଷିତ କରାଯାଇଥିଲା ସେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା। କିନ୍ତୁ ଶାହୀ ପରିବାରର ହତ୍ୟା ପରେ ୨୦୦୧ ରୁ ୨୦୦୮ ଯାଏଁ ତାଙ୍କ ଜୀବନର ଆଉ ଏକ ଅଧ୍ୟାୟ ଚାଲିଥିଲା। ତାଙ୍କୁ ଦୁନିଆର ଶେଷ ହିନ୍ଦୁ ରାଜା ବୋଲି କୁହାଯାଏ।