ବାଲେଶ୍ୱର : ଚାଷୀଙ୍କ ହକ୍ ପାଇଁ କଂଗ୍ରେସର ହୁଙ୍କାର
![](https://thetruths.in/wp-content/uploads/2021/06/Congress-2-1024x486.jpg)
- ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସମବାୟ ସମିତି ସମ୍ମୁଖରେ ଧାରଣା
- ବିଜେପି ଓ ବିଜେଡି ସରକାର ଚାଷୀ ବିରୋଧୀ
- ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଚଳିତବର୍ଷ ରବି ଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାକୁ ନେଇ ବାଲେଶ୍ୱର ଲୋକସଭା କ୍ଷେତ୍ର କଂଗ୍ରେସର ଏମ୍ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଗତ ୧୧ ତାରିଖ ଠାରୁ ଚାଷୀଙ୍କ ହକ୍ ପାଇଁ ଭୋଗରାଇ ବ୍ଲକର ସମବାୟ ସମିତି ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସମବାୟ ସମିତି ସମ୍ମୁଖରେ ଧାରଣା ଦିଆଯାଇଥିଲା । ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, କଂଗ୍ରେସ ସଦର ବିଧାନସଭା ପ୍ରାର୍ôଥନୀ ତଥା ଓଡ଼ିଶା ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ମମତା କୁଣ୍ଡୁ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, ବସ୍ତା ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଆଲୋଚନା କରିବା ସହ ଚାଷୀଙ୍କ ହକ୍ ପାଇଁ ହୁଙ୍କାର ଦେଇ ବିଜେପି ଓ ବିଜେଡି ସରକାର ଚାଷୀ ବିରୋଧୀ ବୋଲି ମତ ରଖିଥିଲେ । ଏଥିସହିତ ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ୍ ପ୍ରଦାନ, ଅକାମୀ ଟୋକନ ସଚଳ କରିବା ସହ ଟୋକନ୍ର ଅବଧି ବୃଦ୍ଧି, ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ, କଟ୍ନୀଛଟ୍ନୀ ବନ୍ଦ, ଅଖାର ଦାମ୍ ପ୍ରଦାନ ଭଳି ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ସମସ୍ତ ଚାଷୀ ଯୋଗଦେଇ ଏହି ଆନ୍ଦୋଳନକୁ ସଫଳ କରିଥିବାରୁ ଚାଷୀମାନଙ୍କୁ ନେତୃବୃନ୍ଦ ଧନ୍ୟବାଦ ଜଣାଇଥିଲେ ।
ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାର୍ଥା, କଷାଫଳ, କଷିପଦା, ଶ୍ରୀରାମପୁର, ହଳଦିପଦା, ନଗ୍ରମ, ଓଲନ୍ଦାସାରଗାଁ, ଗୋପିନାଥପୁର, ସିନ୍ଧିଆ ଓ ପରିଖି ପଞ୍ଚାୟତରେ ରବି ଧାନର ଅଭାବି ବିକ୍ରିର ପ୍ରତିବାଦ ସ୍ୱରୂପ ଚାଷୀଙ୍କ ଠାରୁ ରବି ଉତ୍ପାଦିତ ସମସ୍ତ ଧାନ କ୍ରୟ, ମଣ୍ଡିକୁ ଆକଳନ ଅନୁଯାୟୀ ଟାର୍ଗେଟ୍ ଦେବା, ଟୋକନ ଅବଧି ୧୨ଦିନ ପରିବର୍ତ୍ତେ ୧ମାସ ବୃଦ୍ଧି, ରାଜ୍ୟସରକାର ଚାଷୀଙ୍କୁ ଧାନରେ କୁଇଣ୍ଟାଲ ପ୍ରତି ଏମ୍ଏସ୍ପି ଉପରେ ୫ଶହ ଟଙ୍କା ବୋନସ୍, କେନ୍ଦ୍ରସରକାର ସ୍ୱାମୀନାଥନ୍ କମିଟିର ସୁପାରିସ ଆଧାରରେ ଧାନ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଭଳି ଦାବି ଓଡ଼ିଶା ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ କୁଣ୍ଡୁ ଉପସ୍ଥାପନ କରିଥିଲେ । ସେହିପରି ଭାଗଚାଷୀମାନେ ଚାଷ କରୁଥିଲେ ହେଁ ମାଲିକଙ୍କ ଶୋଷଣ ଯୋଗୁଁ ସେମାନେ ସରକାରଙ୍କ ଯୋଜନାରୁ ଲାଭ ପାଇପାରୁ ନାହାନ୍ତି । ଫଳରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ ଅଣାଯିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ ଦାବି କରିଛନ୍ତି । ଅଭାବୀ ଧାନ ବିକ୍ରିର ଆଶୁ ସମାଧାନ ପାଇଁ ସମସ୍ତ ସମବାୟ ସମିତିର ସମ୍ପାଦକଙ୍କ ମାଧ୍ୟମରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଉପରୋକ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲାରେ ୩୦ହଜାର ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଜିଲା କଂଗ୍ରେସ ସଭାପତି ଶ୍ରୀ ଗିରି । କାର୍ଯ୍ୟକ୍ରମରେ ଗୋବିନ୍ଦ ପ୍ରସାଦ ପୃଷ୍ଟି, କମଳାକାନ୍ତ ମଲ୍ଲିକ, ଅଯୁଦ୍ଧିଷ୍ଠିର ମଲ୍ଲିକ, ବୀରେନ୍ଦ୍ର ନାଥ ରାଉତ, ସଞ୍ଜିବ ମଣ୍ଡଳ, ସଞ୍ଜିବ ନାୟକ, ମଧୁସୂଦନ ବେହେରା, ସୁଶାନ୍ତ ପରିଡ଼ା, ବିଦ୍ୟାଧର ମହାନ୍ତି, ସନାତନ ମହାନ୍ତି, ସେକ୍ କମରୁଲ ଖାଁ, ସେକ ତାଜତ, ହରିଶ ମାଇତି, ଅଜିତ ବେହେରା, ରବୀନ୍ଦ୍ର ଗିରି ପ୍ରମୁଖ ଛାମୁଆ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।