ଦେଶରେ ପ୍ରଥମଥର ଲାଗି ୧ଲକ୍ଷ ଟପିଲା ଦୈନିକ ସଂକ୍ରମଣ
ଆମେରିକା ପରେ ଦ୍ଵିତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ଭାରତ
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଚାଲିଛି । ଧିରେ ଧିରେ ସଂଗୀନ ହେଉଛି ସାରା ଦେଶରେ କରୋନା ସ୍ଥିତି । ଦେଶରେ ପ୍ରଥମ ଥର ଲାଗି ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଛି । ପ୍ରଥମ ଥର ପାଇଁ ରେକର୍ଡ କରିଛି ମାହାମାରୀ । ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭, ୮୯୪ । ଦେଶରେ ଶେଷଥର ପାଇଁ ଗତ ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ୯୮ହଜାର ୭୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆମେରିକା ପରେ ଭାରତ ହେଉଛି ୨ୟ ରାଷ୍ଟ୍ର, ଯେଉଁ ଠାରେ କି କରୋନା ସଂକ୍ରମଣ ବଢ଼ିଚାଲିଛି । ସେହିପରି ବିଗତ ୫ ଦିନ ମଧ୍ୟରେ ଦୈନିକ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ।
ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି କଲାଣି । ଦ୍ୱିତୀୟ ଲହର ଆରମ୍ଭ ପାଖାପାଖି ୫୨ ଦିନ ପୂର୍ବରୁ ହୋଇଥିଲା । କିନ୍ତୁ ସେହି ସମୟରେ କରୋନା ଏତେ ସକ୍ରିୟ ନଥିଲା । ଏବେ ବହୁଗୁଣରେ ବଢ଼ିଯାଇଛି । କରୋନାର ସାପ୍ତାହିକ ମାମଲା ଏବେ ପାଖାପାଖି ୫୯% ବଢ଼ିଛି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ତିନି ଦିନ ପୂର୍ବରୁ ଏହା ୬ ଲକ୍ଷ ଥିଲା । ଏହା ଗତ ବର୍ଷ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୪ ଭଳି ସ୍ଥିତି ଦେଖାଯାଇଛି । ସେହି ସପ୍ତାହରେ ୫.୫ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟାରେ ୫୭ ହଜାରରୁ ନୂଆ ମାମଲା ନଜର ଆସିଥିବାବେଳେ ୨୨୨ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ କରୋନା କାୟା ବିସ୍ତାରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଦେଶବ୍ୟାପୀ ଟୀକାକରଣକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେବା ସହ ମହାରାଷ୍ଟ୍ର ସହ ପଞ୍ଜାବ, ଛତିଶଗଡ଼କୁ ପରିଦର୍ଶନ କରି କରୋନା କେସ୍ ବଢ଼ିବା ପଛର କାରଣ ଖୋଜିବାକୁ କେନ୍ଦ୍ରୀୟ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରବିବାରଠାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ସପ୍ତାହନ୍ତ ଲକଡାଉନ୍ କରିବା ସହ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ।