ପାଦ ବତାଇବ ସ୍ୱାସ୍ଥ୍ୟ
ଅନେକ ସମୟରେ ଥଣ୍ଡା, ମୁଣ୍ଡବିନ୍ଧା ଓ ଗୋଡ଼ବିନ୍ଧା ଆଦି ସମସ୍ୟା ଦେଖାଦେଇଥାଏ । କେତେକ ରୋଗକୁ ଆମେ ସହଜରେ ଜାଣିପାରୁ । ଅନ୍ୟ କେତେକ ରୋଗକୁ ଜାଣିବାରେ ଆମେ ବିଳମ୍ବ କରିଦେଉ । ନିକଟରେ କରାଯାଇଥିବା ଗବେଷଣା ଅନୁଯାୟୀ ଜଣାପଡ଼ିଛି ଯେ, ପାଦକୁ ଲକ୍ଷ୍ୟ କଲେ ସହଜରେ ଜଣାପଡ଼ିବ ଆମେ ରୋଗାଗ୍ରସ୍ତ କି ନୁହେଁ । ଆମମାନଙ୍କ ଧାରଣା ଅଛି କି ରୋଗରେ ପଡ଼ିଲା ମାତ୍ରେ ଏହାର ପ୍ରଭାବ ମୁହଁରୁ ହିଁ ଜଣାପଡ଼ିଥାଏ । କିନ୍ତୁ ଏହି ପ୍ରଭାବ ମୁହଁରୁ ଜଣାପଡ଼ିବା ଆଗରୁ ପାଦରେ ଦେଖାଯାଏ । ଆମେ ପାଦ ପ୍ରତି ଧ୍ୟାନ ଦେଉ ନଥିବାରୁ ଏହାକୁ ଲକ୍ଷ୍ୟ କରିପାରନ୍ତି ନାହିଁ । ମେଡିକାଲ ସାଇନ୍ସ ରିପୋର୍ଟ ଅନୁସାରେ ଆପଣଙ୍କ ପାଦ ହିଁ ଶରୀର ବିଷୟରେ ଠିକ୍ ତଥ୍ୟ ଦେଇପାରିବ । କିଛି ସମୟ ଧରି ପାଦକୁ ଲକ୍ଷ୍ୟ କରନ୍ତି ତେବେ ସହଜରେ ଜାଣିପାରିବେ ଆପଣ କେତେ ସୁସ୍ଥ ଅଛନ୍ତି । ଏଥିନିମନ୍ତେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ ନାହିଁ । ବିଶେଷଜ୍ଞଙ୍କ ମତରେ ଶରୀରରେ କୌଣସି ପ୍ରକାରର ଅସୁବିଧାର ପ୍ରଭାବ ପ୍ରଥମେ ପାଦ ଉପରେ ହିଁ ପଡ଼ିଥାଏ । ଆମେ ପାଦ ପ୍ରତି ଧ୍ୟାନ ଦେଉ ନଥିବାରୁ ସ୍ୱାସ୍ଥ୍ୟ ବିଷୟରେ ଜାଣି ପାରନ୍ତି ନାହିଁ । ଆପଣ ଯଦି ପାଦ ଦ୍ୱାରା ନିଜର ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ କେତୋଟି ତଥ୍ୟ ଉପରେ ଦୃଷ୍ଟି ଦିଅନ୍ତୁ ।
କ୍ୟାଲ୍ସିୟମ ଅଭାବ: ଶରୀରରେ କ୍ୟାଲ୍ସିୟମ ମାତ୍ରା କମ୍ ହେବା ଯୋଗୁଁ ନଖ ଧଳା ଦେଖାଯାଏ । ଯଦି ଆପଣଙ୍କୁ ସମ୍ପୂର୍ଣ୍ଣ ପୋଷଣ ନ ମିଳୁଥାଏ ତେବେ ମଧ୍ୟ ନଖ ଧଳା ଦେଖାଯାଏ । ସେଥିପାଇଁ ଖାଦ୍ୟ ଖାଇଲାବେଳେ କ୍ଷୀର, ଦହି ଏବଂ ଅନ୍ୟାନ୍ୟ କ୍ଷୀର ଜାତୀୟ ଦ୍ରବ୍ୟ ଖାଆନ୍ତୁ । ଏଥିସହ କ୍ୟାଲ୍ସିୟମ ଟାବ୍ଲେଟ୍ ମଧ୍ୟ ଖାଆନ୍ତୁ ।
ହିମୋଗ୍ଳୋବିନ୍ କମ୍ ଥିଲେ: ଆପଣଙ୍କ ପାଦର ନଖ ହଳଦିଆ ଦେଖାଯାଉଥିଲେ ହିମୋଗ୍ଳୋବିନ୍ କମ୍ ଅଛି ବୋଲି ଜାଣି ନିଅନ୍ତୁ । ଏପରି କି, ହିମୋଗ୍ଳୋବିନ୍ ଅଭାବରୁ ନଖର ଆକାର ପରିବର୍ତନ ହୋଇଥାଏ । ନଖ ବଢ଼ିଲାମାତ୍ରେ ଭାଙ୍ଗିଯାଏ ।
ଥାଇରଏଡ୍ ସମସ୍ୟା: ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଥାଇରଏଡ୍ ସମସ୍ୟା ଦେଖାଯାଏ । ପ୍ରାୟ ୫୦-୬୦ ପ୍ରତିଶତ ମହିଳାଙ୍କଠାରେ ଏହି ସମସ୍ୟା ଦେଖାଯାଏ । ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାଙ୍କଠାରେ ଅନେକ ସମୟରେ ପାଦ ଥଣ୍ଡା ହୋଇଯିବାର ଲକ୍ଷ୍ୟ କରାଯାଏ । ଥଣ୍ଡା ହେଉ କି ଖରାଦିନରେ ମଧ୍ୟ ଏପରି ସମସ୍ୟା ଦେଖା ଦେଇଥାଏ । ଏପରି ସମସ୍ୟା ବାରମ୍ବାର ଦେଖା ଦେଉଥିଲେ ଆପଣ ଥାଇରଏଡ୍ରେ ପୀଡ଼ିତ ଅଛନ୍ତି ବୋଲି ଜାଣିବେ ।
ପାଦ ଫାଟିବା: ଅଧିକାଂଶ ମହିଳାଙ୍କର ପାଦ ଫାଟିବା ଲକ୍ଷ୍ୟ କରାଯାଏ । କାହାର ବର୍ଷସାରା ଫାଟିଥାଏ ତ କାହାର କେବଳ ଶୀତଦିନେ ଫାଟିଥାଏ । ଶୀତଦିନେ ଗୋଡ଼ ଫାଟିବା ସ୍ୱାଭାବିକ । ଜଳବାୟୁର ଶୁଷ୍କତା ଯୋଗୁଁ ପାଦ ଫାଟିଥାଏ । କିନ୍ତୁ ବର୍ଷସାରା ପାଦ ଫାଟୁଥିଲେ ଆପଣଙ୍କ ଶରୀରରେ ଜଳୀୟଅଂଶ କମ୍ ଅଛି ବୋଲି ଭାବିନେବେ । ସେଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏଥିସହ ବିଭିନ୍ନ ଫଳରସ ପିଅନ୍ତୁ । ଆବଶ୍ୟକ ମୁତାବକ ପାଦର ଯତ୍ନ ନିଅନ୍ତୁ । ବାରମ୍ବାର ପାଦ ଫାଟୁଥିଲେ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ଯଦି ଗର୍ଭବତୀ ମହିଳାଙ୍କ ପାଦ ଫାଟୁଥାଏ ତେବେ କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ମାତ୍ରା କମ୍ ଅଛି ବୋଲି ଧରିନେବେ । ଏହାର ନିରାକରଣ ପାଇଁ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ ।
ସ୍ନାୟବିକ ସମସ୍ୟା: ପାଦ ଝିମ୍ ଝିମ୍ ହେବା ବା ଶୂନ୍ ହେବା ବା ଗୋଦରା ହେବା ବା ପାଦରେ ଛୁଂଚି ଫୋଡ଼ିଲା ପରି ଲାଗୁଥିଲେ ଆପଣ ସ୍ନାୟୁ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି ଜାଣିବେ । ଏହିପରି ବାରମ୍ବାର ହେଉଥିଲେ ସ୍ନାୟବିକ ବ୍ୟବସ୍ଥା ନଷ୍ଟ ହୋଇପାରେ । ସେଥିପାଇଁ ଅବହେଳା ନକରି ଶୀଘ୍ର ଚିକିତ୍ସା କରାନ୍ତୁ ।
ମଧୁମେହର ସଂକେତ: ବର୍ତମାନ ସମୟରେ ପ୍ରାୟ ୭୦ ପ୍ରତିଶତ ପ୍ରାପ୍ତ ବୟସ୍କ ଲୋକ ମଧୁମେହ ରୋଗରେ ପୀଡ଼ିତ । ମଧୁମେହ ରୋଗରେ ପୀଡ଼ିତ ଥିଲେ ଏହାର ଲକ୍ଷଣ ମଧ୍ୟ ପାଦରୁ ଜଣାପଡ଼ିଯାଏ । ଆମେ ବେଳେବେଳେ ଲକ୍ଷ୍ୟ କରନ୍ତି ଆମ ପାଦ ଫୁଲିଯାଏ । ଅତ୍ୟଧିକ କାମ ବା ଥଣ୍ଡା ଯୋଗୁଁ ବା ଗୋଡ଼ ଝୁଲାଇ ବସିଲେ ମଧ୍ୟ ପାଦ ଫୁଲିଯାଏ । ଏହି ଫୁଲା ରୋଗ ବାରମ୍ବାର ଦେଖା ଯାଉଥିଲେ ବା ଅନେକ ଦିନ ଧରି ପାଦ ଫୁଲି ରହୁଥିଲେ ଏହା ମଧୁମେହର ଲକ୍ଷଣ । ଯଦି ଏପରି ହେଉଥାଏ ତେବେ ପାଦକୁ ଆରାମ ଲାଗିଲା ଭଳି ଉପଯୁକ୍ତ ଜୋତା କିଣନ୍ତୁ । ଡାକ୍ତରଙ୍କ ସହ ପରାମର୍ଶ କରି ଏଥି ନିମନ୍ତେ ପରୀକ୍ଷା କରାନ୍ତୁ ।
ମନେ ରଖିବେ କେତୋଟି କଥା: ପାଦକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ବ୍ୟାୟାମ କରନ୍ତୁ । ଅଧିକରୁ ଅଧିକ ପାଣି ଓ ଫଳ ରସ ପିଅନ୍ତୁ । କ୍ୟାଲ୍ସିୟମ ଆଦି କମ୍ ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଔ ଧ ସେବନ କରନ୍ତୁ । ଏପରି କି ଧୂମପାନ ଓ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ ।
ପାଦର ଯତ୍ନ: ପ୍ରଥମେ ଗରମ ପାଣି କରନ୍ତୁ । ଏହି ପାଣିକୁ ଖୋଲା ବଡ଼ ପାତ୍ରରେ ରଖନ୍ତୁ । ପାଦରେ ଟାୱେଲ୍କୁ ଭଲ ଭାବରେ ବାନ୍ଧି ଦିଅନ୍ତୁ । ତା’ପରେ ପାଦକୁ ପାଣିରେ ବୁଡ଼ାଇ ରଖନ୍ତୁ । ଏହାଦ୍ୱାରା ଶରୀରରେ ତାପମାତ୍ରା ବଢ଼ିବା ସହ ପ୍ରବଳ ଝାଳ ବାହାରିବ । ପାଣି ଅଳ୍ପ ଥଣ୍ଡା ହୋଇ ଆସିଲାମାତ୍ରେ ଅନ୍ୟ ଏକ ପାତ୍ରରେ ଉଷୁମ ପାଣି ନେଇ ଖାଲି ପାଦକୁ ବୁଡ଼ାଇ ୧୫/୨୦ମିନିଟ୍ ରଖନ୍ତୁ । ଏହାପରେ ୨-୩ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ରଖନ୍ତୁ । ଏହି ପ୍ରକ୍ରିୟାଟି ସରିବାର ଏକ ଘଂଟା ପର୍ଯ୍ୟନ୍ତ ପଙ୍ଖା ଚଳାନ୍ତୁ ନାହିଁ । ବାହାରକୁ ମଧ୍ୟ ଯାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ଫୁସ୍ଫୁସ୍, ହୃତ୍ପିଣ୍ଡ ଏବଂ ମସ୍ତିଷ୍କରେ ଭଲ ଭାବରେ ରକ୍ତ ସଂଚାଳନ ହୋଇଥାଏ । ଏଥିସହ ଥଣ୍ଡା, ଅର୍ଦ୍ଧକପାଳି ମୁଣ୍ଡବିନ୍ଧା, ହୃଦ୍ଜନିତ ସମସ୍ୟା ଏବଂ କ୍ଳାନ୍ତି ଦୂର ହୋଇଥାଏ ।