କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି : ମ୍ୟାଲେରିଆ ରିସର୍ଚ୍ଚ ଅନୁଷ୍ଠାନକୁ ସ୍ଥାନାନ୍ତରିତ ନକରିବା ପାଇଁ ଅନୁରୋଧ

ଭୁବନେଶ୍ୱର : ୧୯୮୮ ମସିହାରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାଠାରେ ଏକ ମ୍ୟାଲେରିଆ ରିସର୍ଚ୍ଚ କେନ୍ଦ୍ର ସ୍ଥାପିତ ହୋଇଥିଲା । ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ମ୍ୟାଲେରିଆ ସଂପର୍କିତ ରିସର୍ଚ୍ଚ ଓ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରିବ । ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଂଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଓ ବଣଜଙ୍ଗଲ ଘେରା ଅଂଚଳର ମ୍ୟାଲେରିଆର ପ୍ରକୋପ ପ୍ରଶମିତ କରିବା ଦିଗରେ ଏହି ଅନୁଷ୍ଠାନ ବିଗତ ଦିନମାନଙ୍କରେ ଆଖିଦୃଶିଆ କାର୍ଯ୍ୟ କରି ଆସୁଅଛି । ରାଜ୍ୟର ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି ।
ଏବେ କିନ୍ତୁ ରାଉରକେଲାସ୍ଥିତ ଏହି ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରୀୟ ଅନୁଷ୍ଠାନଟି ରାଉରକେଲାଠାରୁ ରାଂଚିକୁ ସ୍ଥାନାନ୍ତର ହେବାକୁ ଯାଉଛି, ଯାହାକି କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ । ଏହାଦ୍ୱାରା ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରରେ କୌଣସି କାର୍ଯ୍ୟ ସାଧିତ ହୋଇପାରିବ ନାହିଁ । ଅନ୍ୟପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତର ଓଡ଼ିଶା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ହରାଇବ । ଏବେ ରାଜ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି । ମ୍ୟାଲେରିଆର ପ୍ରକୋପ ଅନେକ ମାତ୍ରାରେ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି । ଏ ସମୟରେ ଏହି ସଫଳତା ବଜାୟ ରଖିବା ପାଇଁ ଆଗାମୀ ଦିନରେ ଅନେକ କିଛି ଜନହିତକର କାର୍ଯ୍ୟ ହାତକୁ ନେବାକୁ ପଡ଼ିବ । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଆବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଏଣୁ ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଉରକେଲାସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ସେଂଟରର କ୍ଷେତ୍ରୀୟ ଶାଖା ରାଂଚିକୁ ସ୍ଥାନାନ୍ତର ନକରିବା ସହ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।