‘ୟାସ୍’ ପରେ ବୈତରଣୀରେ ବନ୍ୟା

- ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ୟାସ୍’ ପରେ ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜରେ କଣ୍ଟା, ଖଇରୀଭଣ୍ଡନ ଓ ବୈତରଣୀ ଆଦି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ସେହିଭଳି, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ସୁଦ୍ଧା ବନ୍ୟା ଆସିବ ବୋଲି କୁହାଯାଉଥିବା ବେଳେ ଏହାଦ୍ବାରା ବାଲେଶ୍ବର ଓ ମୟୂରଭଞ୍ଜ ପ୍ରଭାବିତ ହେବ। ଅନ୍ୟପକ୍ଷରେ, ଅବିଶ୍ରାନ୍ତ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ରାହ୍ମଣୀ ଫୁଲୁଥିବାରୁ ବନ୍ୟା ଆଶଙ୍କା ସୃଷ୍ଟିହୋଇଛି।
ବୈତରଣୀ ଉପରମୁଣ୍ଡ ତଥା କେନ୍ଦୁଝର ଜିଲ୍ଲାର ବାଂଶପାଳ, ଯୋଡ଼ା, ଚମ୍ପୁଆ ଆଦି ଅଞ୍ଚଳରେ ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ଶୁଖିଲା ପଡ଼ିଥିବା ବୈତରଣୀ ଗୁରୁବାର ସକାଳୁ ହଠାତ୍ ଫୁଲି ଉଠିଥିଲା। ଆଖୁଆପଦାରେ ବନ୍ୟାଜଳ ମଧ୍ୟାହ୍ନରେ ପହଞ୍ଚିଥିଲେ ବି ଯାଜପୁରର ବନ୍ୟାପ୍ରବଣ ଦଶରଥପୁର ବ୍ଲକ ଅଞ୍ଚଳରେ ୫ଟା ଯାଏ ନଦୀ ଫୁଲି ନଥିଲା। ୫ଟା ପରେ ବୈତରଣୀ ଧୀରେଧୀରେ ବଢ଼ିଥିଲା। ଗୁରୁବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ବୈତରଣୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହୋଇଥିଲା। ଏହି ବନ୍ୟା ଯୋଗୁ ଦତ୍ତପୁରଠାରେ ବୈତରଣୀରେ ତିଆରି ହୋଇଥିବା ଏକ ବାଉଁଶଚାର ପୋଲ ଭାସିଯାଇଥିଲା। ଏହି ସମୟରେ ସେଥିରେ ଯାଉଥିବା ଦୁଇଜଣ ଲୋକ ଭାସିଯାଇଥିଲେ। ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗାଠାରେ ପୋଲ ଉପରେ ପାଣି ଚାଲୁଛି। ଫଳରେ କେନ୍ଦୁଝର-ମୟୂରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୈତରଣୀର ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଯୋଡ଼ା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଚାଲିବାରୁ ଲୁହାପଥର ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଞ୍ଚି-ବିଜୟୱାଡ଼ା ରାଜପଥର ମଙ୍ଗଳପୁରଠାରେ ପୋଲ ଉପରେ ପାଣି ଚାଲିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ହାଟଡିହି ବ୍ଲକର ଏକାଧିକ ଗାଁରେ ପାଣି ପଶି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
ଯାଜପୁରର ଦଶରଥପୁର ବ୍ଲକ୍ ଦତ୍ତପୁର ପଞ୍ଚାୟତର ଅର୍ଦାଉଳିଆଠାରେ ୧ଶହ ମିଟର ବନ୍ଧ ଲଗାଣ ବର୍ଷାରେ ଧସିଛି। ସେହିପରି ତିହୁଡ଼ିସାହି ନିକଟରେ ପୋଖରୀତୁଠରେ ୩୦ ଫୁଟ ବନ୍ଧ ଧସିଛି। କାଣୀ ନଦୀର କଣ୍ଟପଡ଼ାରେ ୧୫୦ ଫୁଟ ଘାଇ କରାଯାଇଛି। ଉପରମୁଣ୍ଡକୁ ସୁରକ୍ଷା ଦେବାକୁ ଏହା କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବୈତରଣୀର ଆଖୁଆପଦା ଠାରେ ଗୁରୁବାର ରାତି ୮ଟା ସୁଦ୍ଧା ବିପଦ ସଙ୍କେତ ୧୮. ୮୦ ମିଟର ରହିଥିବାବେଳେ ଏଠାରେ ଜଳସ୍ତର ୧୭.୯୨ ରହିଛି। ଫଳରେ, ଭଦ୍ରକ ସହର ଦେଇଯାଇଥିବା ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ କିଛିମାତ୍ରାରେ ବୃଦ୍ଧି ପାଇଛି। ବୈତରଣୀ ବନ୍ୟାରେ ଭଦ୍ରକର ମାଳଦା ଠାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଜି ସକାଳ ଠାରୁ ଏହି ରାସ୍ତା ବୁଡ଼ି ବନ୍ୟାଜଳ ଗାଁ ଭିତରକୁ ପଶୁଥିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ଓ ସତର୍କ ସଂକେତ ୯.୪୫ ମିଟର ହୋଇଥିବା ବେଳେ ଆଜି ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହାର ଜଳସ୍ତର ୩.୫୮ ମିଟରରେ ସ୍ଥିର ରହିଛି। ସେହିପରି ବୁଢ଼ାବଳଙ୍ଗରେ ସତର୍କ ସଙ୍କେତ ୭.୨୦ ହୋଇଥିବା ବେଳେ ଗୁରୁବାର ରାତି ୯ଟା ବେଳକୁ ଏହାର ଜଳସ୍ତର ୫.୫୮ ଏବଂ ଜଳକା ନଦୀର ସତର୍କ ସଙ୍କେତ ୩.୫୦ ହୋଇଥିବା ବେଳେ ରାତି ୯ଟା ସୁଦ୍ଧା ଏହାର ଜଳସ୍ତର ୩.୮୧ ରହିଥିବା ଜଣାଯାଇଛି। ଅନ୍ୟପକ୍ଷରେ, ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର କିଛି ନଦୀର ଜଳ ପତ୍ତନ ବଢ଼ୁଛି। ବ୍ରାହ୍ମଣୀ ଫୁଲୁଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ରାଉରକେଲା ନିକଟରେ ବ୍ରାହ୍ମଣୀ ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। କିନ୍ତୁ ଜଳସ୍ତର ବଢ଼ିବାରେ ଲାଗିଛି। ପୁଣି ଆସନ୍ତାକାଲି ଉପରମୁଣ୍ଡ ଝାଡ଼ଖଣ୍ଡର ବର୍ଷା ପାଣି କାରୋ ନଦୀ ଦେଇ କୋଏଲନଦୀ ଓ ପରେ ବ୍ରାହ୍ମଣୀରେ ପ୍ରବେଶ କଲେ ବନ୍ୟା ସ୍ଥିତି ସୃଷ୍ଟି ହେବା ନିଶ୍ଚିତ।