ବିଶ୍ୱରେ ପ୍ରତି ମିନିଟରେ ୧୧ ଜଣ ବ୍ୟକ୍ତି ଅନାହାରରେ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ : ମହାମାରୀ କରୋନା ଭୁତାଣୁ ଏବେ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ଗତ ପ୍ରାୟ ଦେଢ ବର୍ଷ ହେଲା କରୋନା ସଂକ୍ରମଣ ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କିନ୍ତୁ ଏହି ମହାମାରୀଠାରୁ ଆହୁରି ଏକ ଭୟଙ୍କର ମହାମାରୀ ବିରୋଧରେ ଲୋକଙ୍କ ଲଢେଇ ଜାରି ରହିଛି । ତାହା ହେଉଛି ‘କ୍ଷୁଧା’ । କ୍ଷୁଧା ଓ ଦୁର୍ଭିକ୍ଷରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି ତାହା କରୋନା ମୃତ୍ୟୁଠାରୁ ଅନେକଗୁଣ ଅଧିକ ବୋଲି ଅନ୍ତର୍ଜାତୀୟ ସ୍ଵେଛାସେବୀ ସଂଗଠନ ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।
ପ୍ରକାଶିତ ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରତି ମିନିଟରେ ୧୧ ଜଣ ବ୍ୟକ୍ତି ଅନାହାରରେ ପ୍ରାଣ ହରାଉଛନ୍ତି । ଯେବେକି କରୋନା ମହାମାରୀ ମିନିଟକୁ ୭ ଜଣଙ୍କର ଜୀବନ ନେଉଛି । ଆହୁରି ଚିନ୍ତାଜନକ କଥା ହେଉଛି ଗତ ବର୍ଷଠାରୁ ଏପର୍ଯ୍ୟନ୍ତ ବିଶ୍ୱରେ ଅନାହାର ମୃତ୍ୟୁସଂଖ୍ୟାରେ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି । ଅକ୍ସଫାମ ଆମେରିକାର ଅଧ୍ୟକ୍ଷ ତଥା ସିଇଓ ଆବି ମାକ୍ସମ୍ୟାନ କହିଛନ୍ତି ଏହି ସଂଖ୍ୟା ବେଶ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ବିଶ୍ବର ଏବେ ପ୍ରାୟ ୧୫ କୋଟି ଲୋକ ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୨ କୋଟି ବୃଦ୍ଧି ପାଇଛି । ସାମରିକ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଆଦି କାରଣରୁ ବିଶ୍ବରେ ଅନେକ ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି ।