କୋଭିଡ୍ ନିୟମ ମାନିବାକୁ ଡିଜିପିଙ୍କ ଅନୁରୋଧ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ କୋଭିଡ୍ ନିୟମକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଡିଜିପି ଶ୍ରୀ ଅଭୟ । କରୋନା ମୁକାବିଲାପାଇଁ ୩ ଟି ମୁଖ୍ୟ ବିନ୍ଦୁ ଉପରେ ଗୁରୁତ୍ୱ ଦେଇ ଡିଜିପି ଶ୍ରୀ ଅଭୟ କହିଛନ୍ତି ଯେ ସମସ୍ତେ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ସରକାରଙ୍କ ନାଇଟ୍ କର୍ଫ୍ୟୁ ଓ ସଟ୍ ଡାଉନ୍ ନିୟମକୁ ପାଳନ କରନ୍ତୁ । କୋଭିଡ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଗିରଫ କରିବା, ଫାଇନ୍ କାଟିବା ଆମକୁ ଦୁଃଖ ଦେଉଛି । ତେଣୁ ଲୋକ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ ।ଏହାସହ ଲୋକେ ନିୟମ ନମାନିଲେ କୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ ଡିଜି କହିଥିଲେ ଯେ ପୋଲିସ ବାହିନୀର ମୁଖ୍ୟ କାମ ହେଉଛି ଅପରାଧୀଙ୍କୁ ଧରିବା ଓ ଅପରାଧକୁ ରୋକିବା । ଏହି କାମ କରି ପୋଲିସ ବାହିନୀ ସନ୍ତୋଷ ପାଇଥାଏ । ମାତ୍ର ସାଧାରଣ ଲୋକମାନଙ୍କୁ ଦଣ୍ଡିତ କରିବାକୁ ପୋଲିସକୁ ଭଲ ଲାଗୁନାହିଁ, କିନ୍ତୁ ଏପରି କରିବାକୁ ବାଧ୍ୟ ହେଉଛି, କାରଣ ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଲୋକ ଅମାନିଆ ହେଉଛନ୍ତି । ଚଳିତ ଏପ୍ରିଲ ମାସରେ ମାସ୍କ ନ ପିନ୍ଧିବାରୁ ପ୍ରାୟ ୫ କୋଟି ୨୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ନ କରିବା ପାଇଁ ମୋଟ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଅନ୍ୟପକ୍ଷରେ କଟକଣା ମାନୁନଥିବାରୁ ୩୫୦ ଦୋକାନୀ, କୋଚିଂ ସେଂଟରକୁ ସିଲ କରାଯାଇଛି ଓ ପ୍ରାୟ ୪୧୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏପ୍ରିଲ ମାସରେ ୧୮ ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି ଓ ୭ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ଅନ୍ୟପକ୍ଷରେ ଏପ୍ରିଲରେ ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ ହୋଇଛି ବୋଲି ପୋଲିସ୍ ଡିଜି ସୂଚନା ଦେଇଛନ୍ତି ।