ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି : କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ୍ କରିବା ପାଇଁ ଅନୁରୋଧ

ଭୁବନେଶ୍ୱର : କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ୍ କରିବା ପାଇଁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏବାବଦକୁ ୪୫୬୧.୨୩ କୋଟି ଟଙ୍କା ଛାଡ୍ କରିବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ନିଜର ସୀମିତ ସମ୍ବଳରୁ ମାଓ ମୁକାବିଲା ପାଇଁ ନିଜସ୍ୱ ୧୫ ବାଟାଲିୟନ୍ ପୋଲିସ୍ ଫୋର୍ସ ସୃଷ୍ଟି କରିଛନ୍ତି । ମାଓ ଉପଦ୍ରବ କେବଳ କିଛି ରାଜ୍ୟ ନୁହେଁ ବରଂ ଜାତୀୟ ସମସ୍ୟା । ଏହାର ସମାଧାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ୱ । ଏଭଳି ସ୍ଥିତିରେ କେନ୍ଦ୍ର ଫୋର୍ସ ପାଉଣାକୁ ସମ୍ପୂର୍ଣ୍ଣ ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ, ୨୦୨୦ ଅକ୍ଟୋବର ୧ ପର୍ଯ୍ୟନ୍ତ ସେଂଟ୍ରାଲ ଆର୍ମଡ୍ ପୋଲିସ୍ ଫୋର୍ସ ବାବଦରେ ୪୫୬୧.୨୩ କୋଟି ଟଙ୍କା ଦାଖଲ କରିବାକୁ ଗୃହ ମନ୍ତ୍ରଣାଳୟ ଓଡିଶାକୁ କହିଛି ।