କଟକରେ କମୁଛି ସଂକ୍ରମଣ : କମିଶନର

ଭୁବନେଶ୍ୱର : କଟକ ସହରରେ କରୋନା ସଂକ୍ରମଣ କମୁଛି । ପଜିଟିଭିଟି ରେଟ୍ ମଧ୍ୟ କମିବାରେ ଲାଗିଛି । ସହରବାସୀ ଲକଡାଉନ୍ ନିୟମ ମାନି ଚଳିଥିବାରୁ ଏହା ସମ୍ଭବପର ହୋଇପାରିଛି । ଏଥିପାଇଁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ଅନ୍ୟପଟେ ବୟସ୍କଙ୍କ ପାଇଁ ଘର ଘର ବୁଲି ମଧ୍ୟ ଟିକାକରଣ କରାଯାଉଛି । ପିକ୍ ଆଉ ଡ୍ରପ ସୁବିଧା ରହିଛି । ଏଥି ପାଇଁ ମୋବାଇଲ୍ ନମ୍ବର ୯୭୭୭୦୬୭୨୯୭ ଡାଏଲ କରି ସୁବିଧା ନେଇପାରିବେ କଟକବାସୀ । ସେହିପରି ବିଦେଶ ଯାଇ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୋପାଳପୁର କଲ୍ୟାଣ ମଣ୍ଡପରେ ସ୍ୱତନ୍ତ୍ର ଚିକାକରଣ ବ୍ୟବସ୍ଥା କରାଯାଇଛି । ଘରେ ଅକ୍ସିଜେନ୍ ପହଂଚାଇବାର ସୁବିଧା ମଧ୍ୟ କରିଛି ସିଏମସି । ସମସ୍ତେ ସଚେତନ ହୋଇ କୋଭିଡ୍ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି ସିଏମସି କମିଶନର ।
ସେ କହିଛନ୍ତି ଯେ ମେ ୧୫ରେ କଟକରେ ଚିହ୍ନଟ ହୋଇଥିଲେ ସର୍ବାଧିକ ସଂକ୍ରମିତ । ଦୁଇ ମାସର ସମୟ ବେଶ ଚ୍ୟାଲେଞ୍ଜ ଥିଲା । ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶାକର୍ମୀ ଓ ପୋଲିସ କର୍ମଚାରୀ ଆଗରେ ରହି ଭଲ କାମ କରିଥିବା କହିଛନ୍ତି କଟକ କମିଶନର ଅନନ୍ୟା ଦାସ । କଟକରେ ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍ ବେଡ୍ ଖାଲି ରହିଛି । ଏସସିବି ମେଡିକାଲ କଲେଜରେ ୬୦୦ ବେଡ୍ ଖାଲି ରହିଛି ।ସେଂଟର ଅଫ ଏକ୍ସଲେନ୍ସରେ ୧୦୦ ବେଡ୍ ଓ ୪୧ ଆଇସିୟୁ ବେଡ୍ ଖାଲି ରହିଛି । କଟକ ସହରରେ ସାଢେ ତିନି ଲକ୍ଷ ଡୋଜ୍ ଦିଆସରିଛି । ୧୮ରୁ ୪୪ ବର୍ଷ ମଧ୍ୟରେ ଦେଢ ଲକ୍ଷ ଟିକା ଦିଆସରିଛି । ସେହିଭଳି ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୮୫ ହଜାର ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗରେ ୭୨ ହଜାର ଟିକା ଦିଆ ସରିଛି । ଅଫଲାଇନ୍ ଟିକାକରଣ ପାଇଁ କ୍ୟାମ୍ପ କରାଯାଇଛି ।