ଭୁବନେଶ୍ୱରର ସବୁ ପାର୍କରେ କଟକଣା
- ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ୍
ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନରେ କଟକଣା ଲାଗିବା ପରେ ବିଏମସି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସ୍ମାର୍ଟସିଟିର ସମସ୍ତ ପାର୍କରେ କଟକଣା ଲାଗିଛି । ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ୍ ଲାଗିଛି । ସେହିପରି ହାଟଗୁଡିକ ମଧ୍ୟ ସ୍ଥାନାନ୍ତର ହୋଇଥିବା ଦେଖିବାକୁ ମିଳିଛି । ରାଜଧାନୀରେ କରୋନା ସଂକ୍ରମଣ ଦୈନିକ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସବୁ ପାର୍କରେ ବିଏମସି ପକ୍ଷରୁ ନୋଟିସ ଲଗାଯାଇଛି। ବିନା ମାସ୍କରେ ପାର୍କରେ ପ୍ରବେଶ ମନା । ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଛଅ ଫୁଟ୍ ଦୂରତା ବାଧ୍ୟତାମୂଳକ କରାଯାଇଛି। ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା। ପାର୍କର ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି । ପୂର୍ବଭଳି ବିଭିନ୍ନ ହାଟଗୁଡିକ ସ୍ଥାନାନ୍ତର କରାଯାଉଛି। ୟୁନିଟ-୧ ହାଟ, ୪ନମ୍ବର ହାଟ, ଇନ୍ଦ୍ରଧନୁ ନଗର ହାଟ, ନୟାପଲ୍ଲୀ ଓ ସୁନ୍ଦରପଦା ଆଦି ହାଟକୁ ସ୍ଥାନାନ୍ତର କରାଯାଉଛି। ଏଣିକି ଖୋଲା ସ୍ଥାନରେ ବ୍ୟବସାୟ କରାଯିବ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଏମ୍ସି ଏପରି ନିଷ୍ପତ୍ତି ନେଇଛି । ହାଟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯାଉଥିବାବେଳେ ମାସ୍କ ପରିଧାନ ଉପରେ ନଜର ରଖାଯାଉଛି । ଏନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।