ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଯୁକ୍ତ୨ ଛାତ୍ରଛାତ୍ରୀ
- ଭୁବନେଶ୍ୱର ଲୋୟର ପିଏମଜିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଭୁବନେଶ୍ୱର : ରାଜ୍ୟରେ କାୟା ମେଲାଉଛି କରୋନା । ଏପରି ପରିସ୍ଥିତିରେ ଯୁକ୍ତ୨ ପରୀକ୍ଷା କରିବା ସଠିକ ସମୟ ନୁହେଁ ବୋଲି ରାଜ୍ୟ ସରକାର ଏହାକୁ ଜୁନ ମାସ ଯାଏଁ ସ୍ଥଗିତ ରଖିଛନ୍ତି । ତେବେ ଆଜି ଯୁକ୍ତ୨ ପରୀକ୍ଷା ବାତିଲ ଦାବୀରେ ବିଭିନ୍ନ ଛାତ୍ରଛାତ୍ରୀ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ବାତିଲ କଲ, ତେବେ ଆମକୁ କାହିଁକି ଦ୍ୱନ୍ଦ୍ୱରେ ରଖି ସମସ୍ୟାରେ ପକାଉଛ। ଆମ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଉ ବୋଲି ଦାବି କରିଛନ୍ତି ଯୁକ୍ତ୨ ଛାତ୍ରଛାତ୍ରୀ ।
ମାଟ୍ରିକ୍ ପରୀକ୍ଷା ବାତିଲ ହେବା ପରେ ଏବେ ନିଜ ପରୀକ୍ଷାକୁ ନେଇ ଚିନ୍ତାରେ +୨ ଛାତ୍ରଛାତ୍ରୀ। ସେମାନଙ୍କ କହିବାନୁସାରେ, କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଟ୍ରିକ୍ ପିଲାମାନଙ୍କ ପରୀକ୍ଷା ବାତିଲ କରି ଦିଆଗଲା। କିନ୍ତୁ +୨ ପରୀକ୍ଷାକୁ ସ୍ଥଗିତ ରଖାଗଲା। ଏହାଦ୍ୱାରା ଆମର ମାନସିକ ଚାପ ବୃଦ୍ଧି ପାଉଛି। ଏହାସହିତ କରୋନା କାଳରେ କିଭଳି ଆମେ ଯାଇ ପରୀକ୍ଷା ଦେବୁ। ଆମକୁ କ’ଣ କରୋନା ହେବନି। ତେଣୁ ସରକାର ଆମ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଓ ପରୀକ୍ଷା ବାତିଲ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ସୂଚନା ଯେ, କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ,ଆଇସିଏସଇ ଦଶମ ବୋର୍ଡ ଏବଂ ରାଜ୍ୟର ମାଟ୍ରିକ ପରୀକ୍ଷା ବାତିଲ ହୋଇଛି । ମାଟ୍ରିକ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ନବୀନ ନିବାସ ସମ୍ମୁଖରେ ସ୍କୁଲ ଡ୍ରେସ ପିନ୍ଧି ଧାରଣା ଦେଇଥିଲେ । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ ।