ଭୁବନେଶ୍ୱରରୁ ୧୦୮ କରୋନା ପଜିଟିଭ୍
ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୧୦୦ ଅଙ୍କ ପାର୍ କରିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗତକାଲି ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି (ଗୁରୁବାର ) ଆଉ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮ ଲୋକାଲ କେସ୍ ଥିବା ବେଳେ ୨୦ କ୍ୱାରେଂଟାଇନରୁ ରହିଛନ୍ତି । ସେହିପରି ଆଜି ୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ବିଏମ୍ସି ଅଂଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୪୩କୁ ବୃଦ୍ଧି ପାଇଛି । ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୧୦୩ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖଣ୍ଡଗିରି ଅଂଚଳରୁ ସର୍ବାଧିକ ୧୧ ଜଣ , ଓଲ୍ଡଟାଉନ୍ ରୁ ୭ ଜଣ, ନୟାପଲ୍ଲୀ ଓ ପଟିଆରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସତ୍ୟନଗର ଓ ଶୈଳଶ୍ରୀବିହାରରୁ ୪ ଜଣ ଲେଖାଏଁ , ମେଂଚଶ୍ୱରରୁ ୩ ଜଣ , ଆଇଗିଣିଆ , ବଡଗଡ , ବାପୁଜୀନଗର, ବରମୁଣ୍ଡା, ବିଜେବି ନଗର, ଆଇଆରସି ଭିଲେଜ , କଳିଙ୍ଗ ବିହାର, ଲକ୍ଷ୍ମୀବିହାର, ପୋଖରୀପୁଟ, ରସୁଲଗଡ, ସାମନ୍ତରାପୁର , ଶ୍ରୀରାମ ନଗର ଓଭିଏସଏସ୍ ନଗରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।