ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଗତକାଲି ଆମେ ୧,୧୦୮୮୯ ଡୋଜ ଟିକା ଦେଇଛୁ । ଆଉ ୪,୩୫,୩୨୦ ଡୋଜ କୋଭିସିଲଡ ଟିକା ଓ ୧ ,୧୪,୪୯୦ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି । ମାତ୍ର ୨ ଦିନ ମଧ୍ୟରେ ମହଜୁଦ୍ ଥିବା ଟିକା ସରିଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୧୦ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି । ଗତକାଲି ୭୦୦ଟି ଟିକାକରଣ କେନ୍ଦ୍ର ବନ୍ଦ ହେଇଯାଇଛି । କୋରାପୁଟ ଜିଲ୍ଲାରେ ଗତକାଲି ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ଥିବା ସେ କହିଛନପ୍ତି । ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠାରୁ କର୍ମକ୍ଷେତ୍ରରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ରର ନିର୍ଦ୍ଦେଶ ରହିଛି । ଏଥିପାଇଁ ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିସନରଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତମାନ ସୁଦ୍ଧା ରାଜ୍ୟରେ ୩୮,୫୨,୨୦୬ ଟିକାକରଣ ହୋଇଥିବା ସେ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ରାଜ୍ୟକୁ ଟିକା ନ ଆସିଲେ ଓଡ଼ିଶାରେ ଶନିବାରରୁ ଟିକାକରଣ ବନ୍ଦ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨.୫ ଲକ୍ଷ ଟିକା ଦରକାର । ଓଡ଼ିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି । ୧୦ ଦିନ ପାଇଁ ଆମକୁ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯାଏ ଟିକା ଆସିନି । ଆଜି ସନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ଟିକାକରଣ ବନ୍ଦ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ । ସେମାନେ ୭ ଦିନ ସଙ୍ଗରୋଧରେ ରହିବେ । ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ । ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।