ଆସନ୍ତାକାଲି ଠାରୁ ରାଜ୍ୟରେ ଡାଲି ଓ ତୈଳବୀଜ ସଂଗ୍ରହ

- ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରବିଋତୁ ୨୦୨୦-୨୧ ପାଇଁ ପଂଜିକୃତ ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମାର୍କଫେଡ଼ ଦ୍ୱାରା ମଇ ୧୩ ତାରିଖଠାରୁ ଆରମ୍ଭ ହେଉଛି । କୋଭିଡ୍ -୧୯ ସ୍ଥିତିରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମୂଲ୍ୟ ସହାୟକ ଯୋଜନାର ଲାଭ ସିଧାସଳଖ ଚାଷୀମାନ ଙ୍କ ନିକଟରେ ପହଂଚାଇବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ କୋଭିଡ୍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ ନିମନ୍ତେ ମୂଲ୍ୟ ସହାୟକ ଯୋଜନାରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି । ଏଫ୍.ଏ.କ୍ୟୁ ମାନର ମୁଗର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୭୧୯୬ ଟଙ୍କା, ବିରି କ୍ୱିଂଟାଲ ପିଛା ୬୦୦୦ ଟଙ୍କା, ସୂର୍ଯ୍ୟମୁଖୀ ମଂଜି କ୍ୱିଂଟାଲ ଦର ୫୮୮୫ ଟଙ୍କା ଓ ଚିନାବାଦାମର କ୍ୱିଂଟାଲ ପିଛା ୫୨୭୫ ଟଙ୍କା ଦର ସ୍ଥିର କରାଯାଇଛି । ନାଫେଡ଼ ପକ୍ଷରୁ ରାଜ୍ୟରେ ସମବାୟ ବିଭାଗ ଅଧୀନ ସ୍ଥ ମାର୍କଫେଡ୍ ସଂସ୍ଥା ଦ୍ୱାରା ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ୍ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ନାମ ପଂଜୀକରଣ କରିଥିବା ଚାଷୀମାନଙ୍କଠାରୁ ଏହା ସଂଗ୍ରହ କରାଯିବ ।
ଚଳିତ ରବି ଋତୁ ୨୦୨୦-୨୧ରେ ରାଜ୍ୟରେ ସର୍ବାଧିକ ୧୩୨୫୦ ମେଟ୍ରିକ୍ ଟନ ମୁଗ, ୭୦୦ ମେଟ୍ରିକ୍ ଟନ ବିରି, ୭୭୭୫ ମେଟ୍ରିକ୍ ଟନ ଚିନାବାଦାମ ଓ ୬୭୫ ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଇ ୧୩ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ନିର୍ଦ୍ଧାରଣ କରିବା ସହିତ ପ୍ରକୃତ ଚାଷୀମାନଙ୍କର ନାମ ପଂଜୀକରଣ ଏବଂ ଯାଂଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ଚିହ୍ନଟ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ ନିର୍ଦ୍ଧାରିତ ପରିପତ୍ର ଜରୁରୀ ଅଟେ । ଡାଲି ଓ ତୈଳବୀଜ ଉତ୍ପାଦନ ହାରକୁ ଦୃଷ୍ଟିରେ ରଖି ଏକର ପିଛା ୨ କ୍ୱିଂଟାଲ ମୁଗ ଓ ବିରି ସଂଗ୍ରହ ନିମନ୍ତେ ଧାର୍ଯ୍ୟ କରାଯାଇଥିବାବେଳେ ଚିନାବାଦାମ ଏକର ପିଛା ୬ କ୍ୱିଂଟାଲ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି । ଚାଷୀମାନ ଙ୍କ ଅବ ଗତି ନିମନ୍ତେ ଡାଲି ଓ ତୈଳବୀଜ ସଂଗ୍ରହ କେନ୍ଦ୍ର ଓ ସଂଗ୍ରହ ସମୟ ବାବଦ ରେ ବ୍ୟାପକ ପ୍ରଚାର ପାଇଁ ଗୁରୁତ୍ୱ ଦିଆଯାଇଛି । ସଂଗ୍ରହ ବାବଦକୁ ଦେୟ ଅର୍ଥ ମାର୍କଫେଡ୍ ଦ୍ୱାରା ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଆକାଉଂଟରେ ଅନ୍ଲାଇନ୍ ମାଧ୍ୟମରେ ହସ୍ତାନ୍ତର କରାଯିବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଡିଆରସିଏସ୍, ଏଆରସିଏସ୍, ସହକାରୀ କୃଷି ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଏବଂ ମାର୍କଫେଡ୍ ର ଏରିଆ ମ୍ୟାନେଜରମାନଙ୍କୁ ସଂଗ୍ରହ କାର୍ଯ୍ୟରେ ସୁପରିଚାଳନା ଓ ତଦାରଖ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦ୍ୱାରା ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟର ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡ୍-୧୯ର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଚାଷୀ ନାମ ପଂଜୀକରଣ ଓ ସଂଗ୍ରହ କେନ୍ଦ୍ରରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଅନୁପାଳନ ଓ ୫ ଜଣରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।