ଛତିଶଗଡ଼ ନକ୍ସଲ ଆକ୍ରମଣ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ବିଜାପୁର : ଛତିଶଗଡ ନକ୍ସଲ ଆକ୍ରମଣ ଘଟଣାରେ ଆଜି ଅଧିକ ୧୯ଟି ମୃତଦେହ ଉଦ୍ଧାର ହେବାପରେ ମୃତ୍ୟୁସଂଖ୍ୟାକୁ ୨୪କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ ଛତିଶଗଡ ପୋଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଏବଂ ସେଂଟାଲ ରିଜର୍ଭ ପୋଲିସ୍ର ମିଳିତ ଟିମ୍ ଶୁକ୍ରବାର ରାତିରେ କମ୍ବିଂ ଅପରେସନ ପାଇଁ ମାଓବାଦୀଙ୍କ ଗଡ ଦକ୍ଷିଣ ବସ୍ତରକୁ ଯାଇଥିଲେ । ତେବେ ଶନିବାର ଅପରାହ୍ନରେ ରାୟପୁରଠାରୁ ୭୫ କିଲୋମିଟର ଦୂରରେ ଥିବା ସୁକମା-ବିଜାପୁର ସୀମା ନିକଟସ୍ଥ ତରେମ୍ ଅଂଚଳରେ ୪୦୦ରୁ ଅଧିକ ସୁରକ୍ଷା କର୍ମୀ ଏବଂ ପିପିଲ୍ସ ଲିବରେସନ୍ ଗୁଇରିଲା ଆର୍ମି (ପିଏଲଜିଏ) ମଧ୍ୟରେ ୪ଘଂଟା ଧରି ଏନକାଉଂଟର ହୋଇଥିଲା । ଏହି ଏନକାଉଂଟରରେ ଅତି କମ୍ରେ ୫ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଥିଲେ ଏବଂ ୩୧ଜଣ ସୁରକ୍ଷାକର୍ମୀ ନିଖୋଜ ଥିଲେ । ନିଖୋଜ ସୁରକ୍ଷା କର୍ମୀଙ୍କୁ ଖୋଜିବାପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଥିଲା । ଛତିଶଗଡ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଡି ଏମ ଅୱସ୍ତି କହିଛନ୍ତି ଏହି ଅପରେସନ ଜାରି ରହିଛି ଏବଂ ନିଖୋଜ ଯବାନଙ୍କ ସନ୍ଧାନ ପାଇଁ ହେଲିକପ୍ଟର ପଠଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ନିଜର ଆସାମ ନିର୍ବାଚନୀ ଗସ୍ତକୁ କାଟଛାଟ କରି ଦିଲ୍ଲୀ ଫେରି ଆସିଥିଲେ । ଶ୍ରୀ ସାହା ଏହି ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ଭାଘେଲଙ୍କ ସହ ଆଲୋଚନା କରିଥିଲେ । ରବିବାର ଘଟଣାସ୍ଥଳରେ କମ୍ବିଂ ଅପରେସନ୍ ସମୟରେ ମାଓବାଦୀ ମାନେ ପୁଣିଥରେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣାପଡିଛି । ଗତକାଲିର କମ୍ବିଂ ଅପରେସନ ସମୟରେ ୧୫ଜଣ ମାଓବଦୀ ମଧ୍ୟ ନିହତ ହୋଇଛନ୍ତି ।
ଏହି ଘଟଣାକୁ ନେଇ ଛତିଶଗଡ଼ରେ ମାଓବାଦୀମାନଙ୍କ ଆକ୍ରମଣରେ ୨୪ଜଣ ଯବାନ ଶହୀଦ ହେବାପରେ ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ । ସେ ଏହି ଘଟଣାକୁ ନିନ୍ଦା କରାଯିବା ସହ ମାଓବାଦୀମାନଙ୍କ ବିରୁଦ୍ଧରେ ସିଆର୍ପିଏଫ୍ ଓ ଅନ୍ୟ ଫୋର୍ସଙ୍କ ସହ ମିଶି ମାଓବାଦୀ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି । ସେ ଛତିଶଗଡ଼ରେ ବଳିଦାନ ଦେଇଥିବା ସୈନିକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଏହି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ମାଓବାଦୀ ହିଂସା କମିଥିବାବେଳେ ସମସ୍ତଙ୍କ ସହଯୋଗରେ ଏହାର ମୂଳୋତ୍ପାଟନ କରିବା ପାଇଁ ଆମେ ସଂକଳ୍ପବଦ୍ଧ । ସେହିପରି ଛତିଶଗଡରେ ଜବାନ ମାନଙ୍କ ଉପରେ ବାମପନ୍ଥୀ ଉଗ୍ରବାଦୀ ମାନଙ୍କର ଆକ୍ରମଣ ଘଟଣାକୁ ଦୃଢ ଶବ୍ଦରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି ଯେ ସୁକମା ଠାରେ ଆମର ଜବାନ ମାନଙ୍କୁ ବାମପନ୍ଥୀ ଉଗ୍ରବାଦୀ ମାନଙ୍କର ଦ୍ୱାରା ଯେଭଳି ଭାବେ ଆକ୍ରମଣ କରା ଗଲା ତାକୁ ସେ ଦୃଢ ଶବ୍ଦରେ ନିନ୍ଦା କରୁଛି । ଦେଶ ପାଇଁ ଲଢି ବଳିଦାନ ଦେଇଥିବା ଜବାନ ମାନଙ୍କର ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରୁଛି । ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଛତିିଶଗଡରେ ମାଓବାଦୀ ମାନଙ୍କ ବିରୁଦ୍ଧରେ ଲଢେଇ ବଳିଦାନ ଦେଇଥିବା ଜବାନ ମାନଙ୍କୁ ସାଲ୍ୟୁଟ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ କରି କହିଛନ୍ତି ଯେ ସେମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ । ସେମାନଙ୍କର ପରିବାର ବର୍ଗକୁ ସେ ସମବେଦନା ଜଣାଇବା ସହ ଭାରତ କେବେ ହେଲେ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି । ସେହିପରି ସୁକମା ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ସେ ଟ୍ୱିଟ କରି କହିଛନ୍ତି ଯେ ଛତିଶଗଡ଼ର ସୁକମା, ବିଜାପୁର ସୀମାସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ଆକ୍ରମଣରେ ୨୪ ଜଣ ବୀର ଯବାନ ସହିଦ ହେବା ଅତ୍ୟନ୍ତ ହୃଦୟ ବିଦାରକ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ୨୪ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।