ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ : ୫ ମୃତ, ୩ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ବରପକ୍ଷର ଲୋକଙ୍କୁ ନେଇ ଯାଉଥିବା ଏକ କାର୍ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ୫ ବରଯାତ୍ରୀ ମୃତ। ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଯେ, ସୋମବାର ବିଳମ୍ବିତ ରାତ୍ରରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର୍ କରହିୟା ହ୍ରଦ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ୪ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଥାନା ଅଧିକାରୀଙ୍କ କହିବାନୁସାରେ, ବରଯାତ୍ରୀ ଦଳ ମଛଲୀ ଗ୍ରାମର କପିୟରଗଞ୍ଜ ଯାଉଥିଲେ । କରହିୟା ହ୍ରଦ ଅତିକ୍ରମ କରୁଥିବା ବେଳେ ସେମାନଙ୍କ କାର୍ ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ଚୁରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ପୋଲିସ ପହଁଚିବା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।