ବାଲେଶ୍ୱର : ବାତ୍ୟା ମୁକାବିଲା ପାଇଁ ଏସ୍ଆର୍ସିଙ୍କ ପ୍ରସ୍ତୁତି ସମୀକ୍ଷା
ବାଲେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଜିଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ରବିବାର ବାଲେଶ୍ୱର ଗସ୍ତରେ ଆସିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସ୍ଥାନୀୟ ଓସୱାନ ହଲରେ ଭର୍ଚୁଆଲ ମୋଡ଼ରେ ଆୟୋଜିତ ବୈଠକରେ ଯୋଗଦେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ତଥା ବ୍ଲକ ପ୍ରଶାସନ ଦ୍ୱାରା ବାତ୍ୟା ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତି କାର୍ଯ୍ୟକାରିତା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମୀକ୍ଷା କରିଥିବା କଥା ବୈଠକ ଶେଷରେ ଆୟୋଜିତ ଖବରଦାତା ସାକ୍ଷାତକାର ଅବସରରେ ପ୍ରକାଶ କରିଥିଲେ ।
ଏସ୍ଆର୍ସି ଶ୍ରୀ ଜେନାଙ୍କ କହିବା ଅନୁଯାୟୀ, ବାତ୍ୟାର ଗତିପଥ କି ଛୁଇଁବାକୁ ଥିବା ସ୍ଥଳଭାଗ ସମ୍ବନ୍ଧରେ ପାଣିପାଗ ବିଭାଗର ଆକଳନ ସ୍ପଷ୍ଟ ହୋଇ ନ ଥିଲେ ବି ବାତ୍ୟାର ସାମ୍ନା କରିବା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ସଜାଗ ରଖାଯାଇଛି । ସାମୁଦ୍ରିକ ଜୁଆର ପଶିବା, ବର୍ଷା ଜଳରେ ବୁଡି ରହିବା ସମ୍ଭାବନା ଥିବା ଗାଁ, କଚ୍ଚା ଓ ଆଜବେଷ୍ଟସ ଘରର ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ବହୁମୁଖୀ ବାତ୍ୟାଶ୍ରୟ ଓ ଚିହ୍ନଟ ଅତିରିକ୍ତ ଅସ୍ଥାୟୀ ଅଶ୍ରାୟସ୍ଥଳୀ ସବୁ ବିଶୋଧନ କରାଯିବା ସହ ଶୁଖିଲା ଖାଦ୍ୟ, ଜେନରେଟର ଆଦି ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଛି । ବିଡିଓ, ତହସିଲଦାର, ସିଡ଼ିପିଓ, ସ୍ୱାସ୍ଥ୍ୟକର୍ମୀ ଭଲକାମ କରୁଛନ୍ତି ଏବଂ ପ୍ରସ୍ତୁତି ଭଲ ଅଛି ବୋଲି ସେ ପ୍ରକାଶ କରିଥିଲେ । ୧୨୦ରୁ ୧୬୫ କିମି ବେଗର ପବନ ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ପ୍ରସ୍ତୁତି କରାଯାଇଛି । ବାତ୍ୟା ସମୟରେ ଜନଜୀବନ ଉଦ୍ଧାର ପାଇଁ ୪ଟି ଓଡ୍ରାଫ, ୭ଟି ଏନଡିଆରଏଫ, ୯ଟି ଅଗ୍ନିଶମ ଦଳ ପ୍ରସ୍ତୁତ ରଖାଯାଇଛି । ବାତ୍ୟାର ସଠିକ ଆକଳନ ପରେ ଆବଶ୍ୟକ ହେଲେ ଅଧିକ ଦଳ ପାଇଁ ଚେଷ୍ଟା କରାଯିବ । ବାତ୍ୟା ହେଲେ ପାନୀୟ ଜଳ, ବିଦ୍ୟୁତ, ଟେଲିକମ ସୁବିଧା ଉପରେ କ୍ଷତି ସାଧନ ହେବାର ସମ୍ଭାବନା ଥିବାରୁ ତାର ବିକଳ୍ପ ପ୍ରସ୍ତୁତି ନିଆଯାଇଛି । ଜନସାଧାରଣଙ୍କ ସଚେତନତା ପାଇଁ ନିବେଦନ କ୍ରମରେ ଜଣାଇଥିଲେ କି ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ମାଇକ୍ରେ ଘୋଷଣା ମାତ୍ରେ ଯଥାଶୀଘ୍ର ଲୋକମାନେ ଆଶ୍ରୟସ୍ଥଳୀକୁ ଆସିବା ଦରକାର । ନିରାପଦ ଜାଗାରେ ବା ଘରେ ରହିଥିବା ଲୋକମାନେ ବାତ୍ୟା ଦିନ ଘରୁ ବାହାରକୁ ବାହାରିବେ ନାହିଁ । ଏପରିକି ଆମ୍ବ, ନଡ଼ିଆ ଲୋଭରେ କି ପାଣି ଆଣିବା ଉଦ୍ଦେଶ୍ୟରେ ବାହାରକୁ ବାହାରି ଛୋଟିଆ ଭୁଲ ଯୋଗୁଁ ଜୀବନହାନୀ ହେବାର ନଜିର ଅଛି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ବାତ୍ୟା ସମୟରେ ବାହାଦୂରୀ ଦେଖାଇ ରାସ୍ତାରେ ଗାଡ଼ି ଚଳାଇବାକୁ ମଧ୍ୟ ସେ ବାରଣ କରିଥିଲେ । କାରଣ ଗଛ, ଡାଳ, ଟାୱାର, ହୋର୍ଡିଂ ଫ୍ରେମ୍ ଆଦି ପଡ଼ି ଜୀବନହାନୀ ହେବାର ସମ୍ଭାବନା ଥାଏ । ପ୍ରତି ଜାଗାରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବ । ସମସ୍ତଙ୍କୁ ମାସ୍କ ଦିଆଯିବ । ସାନିଟାଇଜର, ସାବୁନ ଆଦି ରଖାଯିବ । ଆଶା ଦିଦି, ଅଙ୍ଗନୱାଡ଼ି ୱାର୍କର ରହିବେ । ଜ୍ୱର, ଥଣ୍ଡା ଲକ୍ଷଣ ଥିବା ଲୋକଙ୍କୁ ଅଲଗା ରଖାଯିବ । ବାତ୍ୟା ଆଶ୍ରୟସ୍ଥଳୀ ବ୍ୟତୀତ ଅନ୍ୟ କୋଠାଘର ସ୍କୁଲ, କଲେଜ ଆଦି ଚିହ୍ନଟ କରାଯାଇଛି । କୋଭିଡ୍ ସଂକ୍ରମିତ ରୋଗୀଙ୍କ ପାଇଁ ୪୦ଟି ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ସମ୍ବନ୍ଧରେ ମଧ୍ୟ ଏସ୍ଆର୍ସି ସୂଚନା ଦେଇଥିଲେ ।