ବାଲେଶ୍ୱର : ୭ ହାଇୱେ ଲୁଟେରା ଗିରଫ
![](https://thetruths.in/wp-content/uploads/2021/09/7-highway-robbers-arrested-1024x523.jpg)
- ବିଭିନ୍ନ ମାରଣାସ୍ତ୍ର, ଟଙ୍କା ଓ ୫ ବାଇକ ଜବତ
ବାଲେଶ୍ୱର : ତିନି ଥାନାର ମିଳିତ ଚଢ଼ଉରେ ବାଲେଶ୍ୱରର ଏକ ଲୁଟିଆ ଦଳର ୭ଜଣଙ୍କୁ ପୁଲିସ ଗିରଫ କରିପାରିଛି । ଗିରଫ ବ୍ରକ୍ତିମାନେ ହେଲେ ସଦର ଥାନା ଅନ୍ତର୍ଗତ କହଁରାକୂଳ କାଜିବାଗର ରବୀନ୍ଦ୍ର ଜେନା ଓରଫ ରୁନା ଓ ବିପିନ ଜେନା, ସହଦେବଖଣ୍ଟା ଥାନା ଅନ୍ତର୍ଗତ ଚୁନଭାଟି ଅଞ୍ଚଳର ଅସିତ କମିଳା ଓରଫ ଟୁନା, ଦରଜୀପୋଖରୀ ଅଞ୍ଚଳର ମଧୁସୁଦନ ପଟା ଓରଫ ମୁନ୍ନା, ରାଣୀପାଟଣାରୁ ମାନସ କୁମାର ଜେନା ଓରଫ ରାଜୁ ଓ ଆଦିତ୍ୟ ସେନାପତି ଓରଫ ଗବର, ଟାଉନ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ଗଳିର ଶେଖ ରମଜାନ । ସେମାନଙ୍କଠାରୁ ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଭୁଜାଲି, ଗୋଟିଏ ଖେଳନା ବନ୍ଧୁକ, ୬ ଗୋଟି ମୋବାଇଲ ଫୋନ, ଗୋଟିଏ ଟାବଲେଟ, ପେନ ଡ୍ରାଇଭ, ନଗଦ ୫ହଜାର ଟଙ୍କା ସହ ୫ଟି ମୋଟର ସାଇକେଲ ପ୍ରଭୃତି ପୁଲିସ ଜବତ କରିଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋବିନ୍ଦ ଚନ୍ଦ୍ର ସେଠୀ ସହଦେବଖୁଣ୍ଟା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରେମୁଣା ଗୋଲାଇ ଆଇଡିଏଫସି ଫାଷ୍ଟ ବ୍ୟାଙ୍କର କର୍ମଚାରୀ ପ୍ରତାପ କୁମାର ବାରିକ ଗତ ଏକ ତାରିଖରେ ସଦର ବ୍ଲକର ବୁଆଁଳ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରି ଫେରୁଥିବା ବେଳେ ତିନି ଅଜଣା ଯୁବକ ତାଙ୍କୁ ଅଟକାଇ ଥିଲେ । ଭୁଜାଲି ଓ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ୩୦ହଜାର ଟଙ୍କା ମୂଲ୍ୟର ମୋବାଇଲ ଫୋନ, ଗୋଟିଏ ଟାବଲେଟ, ପେନ ଡ୍ରାଇଭ, ପାନ କାର୍ଡ, ଏଟିଏମ କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ସହ ନଗଦ ୩ହଜାର ଟଙ୍କା ଲୁଟି ନେଇଥିଲେ । ଏହାକୁ ନେଇ ଶ୍ରୀ ବାରିକ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସଦର ଓ ଟାଉନ ଥାନା ଟିମର ସହଯୋଗରେ ସହଦେବଖୁଣ୍ଟା ଥାନା ପୁଲିସ ଏହି ଲୁଟିଆଙ୍କୁ ଗିରଫ କରିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସେଠୀ କହିଛନ୍ତି । ଗିରଫ ହୋଇଥିବା ଯୁବକଙ୍କ ନାମରେ ଟାଉନ ଥାନା, ଖନ୍ତାପଡ଼ା, ସହଦେବଖୁଣ୍ଟା, ସଦର, ଚାନ୍ଦିପୁର ପ୍ରଭୃତି ଥାନାରେ ବିଭିନ୍ନ ଅପରାଧିକ ମାମଲା ପୂର୍ବରୁ ରହିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସହଦେବଖୁଣ୍ଟା ଥାନା ଆରକ୍ଷୀ ସହ-ନିରୀକ୍ଷକ ସୁରେନ୍ଦ୍ର ମହାଳିକ ଓ ବିରଞ୍ଚ ପ୍ରଧାନ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।