ଅନଶନରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍ର ଅଭିଯୁକ୍ତ ମିସେଲ୍
![](https://thetruths.in/wp-content/uploads/2021/11/Christian-Michelle.jpg)
ନୂଆଦିଲ୍ଲୀ: ଜେଲ୍ ଭିତରେ ବନ୍ଦୀ ଭାବେ ଥିବା ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାର ଅଭିଯୁକ୍ତ ଖ୍ରୀଷ୍ଟିଆନ୍ ମିସେଲ ଅନଶନରେ ବସିଛି। ଗତ ତିନି ଧରି ସେ ଅନଶନରେ ବସିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖ୍ରୀଷ୍ଟିଆନ୍ ଗତ ଗୁରୁବାରଠାରୁ ଅନଶନରେ ବସିଥିବାରୁ କୌଣସି ଖାଦ୍ୟ ଗ୍ରହଣ କରି ନ ଥିବା ସେ କହିଛନ୍ତି। ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖାଯାଇଥିବା ଜେଲ୍ ଅଧିକାରୀ ସୂଚନା ଦେଇଛନ୍ତି। ମିସେଲ ଜଣେ ବ୍ରିଟିଶ ନାଗରିକ ହୋଇଥିବା ବେଳେ ସେ ଏହି ହେଲିକପ୍ଟର ଦୁର୍ନୀତି କାରବାରରେ ମଧ୍ୟସ୍ଥି ସାଜିଥିଲା। ଗତ ୨୦୧୨ରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍ ସପକ୍ଷରେ ହୋଇଥିବା ଏକ ଚୁକ୍ତିରେ ସେ ଜଡ଼ିତ ରହିଥିଲା ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବେଆଇନ ଭାବେ ଲାଭ ପ୍ରଦାନ କରୁଥିବା ୩ ଜଣ ମଧ୍ୟସ୍ଥିଙ୍କ ମଧ୍ୟରେ ମିସେଲଙ୍କ ନାମ ସାମ୍ନାକୁ ଆସିଥିଲା। ଏହି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ବ ସିବିଆଇ ହାତରେ ରହିଥିବା ବେଳେ ଗତ ୨୦୧୮ରେ ଦୁବାଇରୁ ଖ୍ରୀଷ୍ଟିଆନ୍କୁ ଭାରତ ଅଣାଯାଇଥିଲା। ସେବେଠାରୁ ସେ ତିହାର ଜେଲ୍ରେ ବନ୍ଦୀ ଭାବେ ରହିଛି। ମିସେଲ ନିଜ ଲିଗାଲ ଟିମ୍ ମାଧ୍ୟମରେ ବ୍ରିଟେନ୍ର ରାଷ୍ଟ୍ରପତି ବୋରିସ୍ ଜନସନ୍ଙ୍କୁ ଏକ ଚିଠି ଲେଖି ଅନଶନରେ ବସିବ ବୋଲି ମଧ୍ୟ ସୂଚନା ଦେଇଥିବା ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଶାସନରେ ଥିବା ବେଳେ ୟୁପିଏ ସରକାର ଗତ ୨୦୧୦ ଫେବ୍ରୁଆରୀ ୧୨ରେ ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସହ ୩ ହଜାର ୬ ଶହ କୋଟି ଟଙ୍କାର ଚୁକ୍ତି କରିଥିଲା। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍ର ମୂଳ କମ୍ପାନୀ ଫିନମେକାନିକା ଥିଲା ଯାହାର ନୂଆ ନାମ ଲିଓନାର୍ଡୋ ସ୍ପା ହୋଇଛି। ଏଥିରେ ଇଟାଲୀ ଅନୁସନ୍ଧାନକାରୀ ସଂସ୍ଥା ଗତ ୨୦୧୨ରେ ୩୬୦ କୋଟି ଟଙ୍କା କମିଶନ୍ କରିଥିବା ଅଭିଯୋଗ ହୋଇଛି। ଟେଣ୍ଡର୍ ପାଇବା ପାଇଁ କମ୍ପାନୀ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଥିଲା। ମାମଲା ବଢ଼ିବା ପରେ ସରକାର କମ୍ପାନୀ ସହ ହୋଇଥିବା ଡିଲ୍କୁ ବାତିଲ କରି ଦେଇଥିଲେ। ଗତ ୨୦୧୩ ଫେବୃଆରୀ ମାସରେ ଏହି ମାମଲାର ତଦନ୍ତ ଦାୟିତ୍ବ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂଗଠନ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବରରେ ସିବିଆଇ ଏହି ମାମଲାରେ ଚାର୍ଜଶିଟ୍ ଦାଖଲ କରିଥିଲା ଓ ତତ୍କାଳୀନ ବାୟୁସେନା ମୁଖ୍ୟ ସନ୍ଦୀପ ତ୍ୟାଗୀଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା।