୨୮୧ ମେଡିକାଲ୍ ଛାତ୍ରଛାତ୍ରୀ ସଂକ୍ରମିତ, କଟକଣା ସପକ୍ଷରେ ନାହାନ୍ତି ସ୍ବାସ୍ଥ୍ୟମନ୍ତ୍ରୀ
ବେଙ୍ଗାଲୁରୁ: ସାମ୍ପ୍ରତିକ ସମୟରେ ଭାରତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଥିତି ସ୍ବାଭାବିକ ହୋଇଛି। କିନ୍ତୁ ନିକଟରେ ଦକ୍ଷିଣ ଆଫ୍ରିକାରେ କୋଭିଡର ନୂଆ ଭ୍ୟାରିଆଣ୍ଟ୍ ଠାବ ହେବା ଫଳରେ ବିଭିନ୍ନ ଦେଶରେ କଟକଣା ଲାଗୁ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତକୁ ମଧ୍ୟ ଏହି ଭ୍ୟାରିଆଣ୍ଟ୍ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିଥିବା ଜଣାପଡ଼ିଛି। ତେବେ କର୍ଣ୍ଣାଟକ ଦେଶର ଅନ୍ୟତମ ସର୍ବାଧିକ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ଏଠାକାର ଏକ ମେଡିକାଲ୍ କଲେଜରେ ୨୮୧ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ସପ୍ତାହକ ଭିତରେ ଏହି ସଂକ୍ରମିତଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କୌଣସି ପ୍ରକାର କଟକଣା ଲଗାଇବା ସପକ୍ଷରେ ନାହାନ୍ତି, ଯାହାକି ବିଶେଷଜ୍ଞମାନଙ୍କୁ ଚକିତ କରିଛି। ରାଜ୍ୟର ଧରୱାଡ୍ ଜିଲ୍ଲା ଅନ୍ତର୍ଗତ ଏସଡିଏମ୍ କଲେଜ ଅଫ୍ ମେଡିକାଲ୍ ସାଇନ୍ସେସରେ ଏହି ସଂକ୍ରମିତମାନଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରୀ କେ. ସୁଧାକର କହିଛନ୍ତି ଯେ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ଏହା ସଂକ୍ରମଣର ମୂଳ କାରଣ। ତେଣୁ ରାଜ୍ୟରେ କୌଣସି ପ୍ରକାର କଟକଣା ଲାଗୁ ହେବ ନାହିଁ। କାରଣ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସୁଧାକର କହିଛନ୍ତି।
ଅନ୍ୟପକ୍ଷରେ ଶୁକ୍ରବାର ଧରୱାଡ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ମେଡିକାଲ୍ କଲେଜର ୫ ଶହ ମିଟର ଆଖପାଖ ଅଞ୍ଚଳରେ ଥିବା କଲେଜ ଓ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏହାଛଡ଼ା ଆଖପାଖ ଅଞ୍ଚଳକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ତେବେ ମେଡିକାଲ କଲେଜ ନିକଟରେ ୮ଟି ଆମ୍ବୁଲାନ୍ସ ମହଜୁଦ ରଖାଯାଇଛି ଏବଂ କଲେଜ ଭିତରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନ ଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଗତ ଶୁକ୍ରବାର ଦିନକ ଭିତରେ କର୍ଣ୍ଣାଟକରେ ୪୦୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଶନିବାର ପୂର୍ବାହ୍ନରେ ସୂଚନା ଦିଆଯାଇଛି। ସେହିପରି ଶୁକ୍ରବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭିଡର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରୋନ୍ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଓ ଅଦ୍ୟାବଧି ଏପରି ଭ୍ୟାରିଆଣ୍ଟ୍ ରାଜ୍ୟରେ ଚିହ୍ନଟ ହୋଇ ନ ଥିବା ସୁଧାକର କହିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକୀୟ ଦେଶରୁ କର୍ଣ୍ଣାଟକକୁ ଆସୁଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରାଜ୍ୟ ଗୃହ ବିଭାଗ ଓ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା କର୍ତ୍ତ୍ପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।