ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ବଜାରରେ ସୁନା ଦାମ କମିଥିବା ଜଣାପଡ଼ିଛି । ଲଗାତାର କିଛି ଦିନ ହେଲା ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏଚଡିଏଫସି ସିକ୍ୟୁରିଟିଜ୍ ଅନୁସାରେ ଦିଲ୍ଲୀରେ ସୁନା ଦାମ ୧୬୮ ଟଙ୍କା କମି ୪୭,୪୫୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ଏହା ପୂର୍ବରୁ ୧୦ ଗ୍ରାମ ପ୍ରତି ସୁନା ଦାମ ୪୭,୬୧୮ ଟଙ୍କା ଥିଲା। ସେପଟେ ରୁପା ଦାମ ବଢ଼ିଛି। ରୁପା କିଲୋ ପ୍ରତି ୬୮,୮୭୯ ଟଙ୍କା ଥିବା ବେଳେ ଏଥିରେ ୨୩୮ ଟଙ୍କା ବୃଦ୍ଧି ଘଟି ୬୯,୧୧୭ ଟଙ୍କା ହୋଇଯାଇଛି।
ଅନ୍ତର୍ଜାତୀୟ ବଜାରରେ ବହୁମୂଲ୍ୟ ଧାତୁର ମୂଲ୍ୟ ହ୍ରାସ ଏବଂ ଟଙ୍କା ମୂଲ୍ୟରେ ସୁଧାର ଯୋଗୁ ଦିଲ୍ଲୀ ସରଫା ବଜାରରେ ଗୁରୁବାର ସୁନା ୩୦୫ ଟଙ୍କା ହ୍ରାସ ସହ ୪୬୭୫୬ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଜିଜେଇପିସି ଅନୁସାରେ ମାର୍ଚ୍ଚରେ ସୁନା ଆମଦାନୀ ବଢ଼ି ୧୬୦ ଟନ୍ରେ ପହଞ୍ଚିଛି। ଆମଦାନୀ ଶୁଳ୍କ କମିବା ଏବଂ ସୁନା ଦାମ କମିବା ଯୋଗୁ ଏହା ସମ୍ଭବ ହୋଇଛି । କିନ୍ତୁ ଏହା ପୂର୍ବରୁ ୨୦୧୯-୨୦ ମାର୍ଚ୍ଚରେ ୨୮.୦୯ ଟନ୍ ସୁନା ଆମଦାନୀ ହୋଇଥିଲା।