ବାଲେଶ୍ୱର : ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ମା’ର ଆତ୍ମହତ୍ୟା

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୂପ୍ସା ରେଳବାଇ ଥାନା ନୂଆଗାଁ ରେଳ ଷ୍ଟେସନ ନିକଟରେ ଟ୍ରେନ୍ଆଗକୁ ଡେଇଁ ମା’ ଓ ପୁଅଙ୍କ ଆତ୍ମହତ୍ୟା । ମା’ର ବୟସ ୨୫ ବର୍ଷ ହୋଇଥିବା ବେଳେ ପୁଅର ବୟସ ୩ବର୍ଷ ବୋଳି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା ବେଳେ ମୃତକ ଦ୍ୱୟ ବସ୍ତା ଥାନା ଅନ୍ତର୍ଗତ ଦୁଧହଂସା ପଞ୍ଚାୟତ ଦୁଲାଲବାଟି ଗ୍ରାମର । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଯେ, ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍ ଅନ୍ତର୍ଗତ ରୂପ୍ସା ଓ ବସ୍ତା ଷ୍ଟେଶନ ମଝି ନୂଆଗାଁ ରେଳଷ୍ଟେଶନ ନିକଟରେ ଶନିବାର ଜଣେ ମହିଳା ୩ବର୍ଷର ଶିଶୁପୁତ୍ରକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ବସ୍ତା ଥାନା ଦୁଧହଂସା ଗ୍ରାମର ନଗେନ ସେନାପତିଙ୍କ ସ୍ତ୍ରୀ ରୀତାରାଣୀ (୨୫) । କୌଣସି କାରଣରୁ ରୀତାରାଣୀ ମାନସିକ ଭାରସାମ୍ୟ ହରାଇ ନିଜର ୩ବର୍ଷର ଶିଶୁପୁତ୍ରକୁ କାଖରେ ଧରି ଡାଉନଲାଇନ୍ରେ ଯାଉଥିବା ଇଷ୍ଟକୋଷ୍ଟ କୋଭିଡ୍ ସ୍ପେଶାଲ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ । ଖବରପାଇ ବାଲେଶ୍ୱର ଜିଆର୍ପି ଥାନା ଓ ରୂପ୍ସା ଆର୍ପିଏଫ୍ ଥାନା ପୋଲିସ ପହଞ୍ôଚ ରେଳଧାରଣାରୁ ମୃତ ଶିଶୁପୁତ୍ର ଓ ମହିଳାଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୋଷ୍ଟମର୍ଟମ୍ ପାଇଁ ନେଇଥିଲେ । ଏନେଇ ଜିଆର୍ପି ଥାନାରେ ଏକ ମାମଲା (ନଂ. ୨୬ ।୨୧) ରୁଜୁ ହୋଇ ତଦନ୍ତ ଜାରି ରହିଛି ।