ବାଲେଶ୍ୱର : ଓଲଟିଲା ଚିଙ୍ଗୁଡ଼ି ବୋଝେଇ ପିକଅପ୍ : ପେଟି ପେଟି ବୋହି ନେଲେ ଲୋକେ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ୬୦ନଂ. ଜାତୀୟ ରାଜପଥର ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଏକ ଚିଙ୍ଗୁଡ଼ି ମାଛ ବୋଝେଇ ପିକଅପ୍ । ସମସ୍ତ ଚିଙ୍ଗୁଡ଼ି ମାଛ ରାସ୍ତାରେ ଢାଳି ହୋଇ ଯାଇଥିଲା । ସ୍ଥାନୀୟ କିଛି ଲୋକ ଆସି ଡ୍ରାଇଭର ଏବଂ ହେଲପରକୁ ଉଦ୍ଧାର କରିଥିଲା ବେଳେ ଆଉ କିଛି ଲୋକ ମାଛ ବୋହି ନେଉଥିବାର ଦେଖିବାକୁ ମିଳିଥିଲା । ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲା କସାଫଳ ଅଞ୍ଚଳର ଚିଙ୍ଗୁଡ଼ି ଫାର୍ମରୁ ଚିଙ୍ଗୁଡ଼ି ନେଇ ଏକ ପିକଅପ୍ ଦ୍ରୁତ ଗତିରେ କଲିକତା ଅଭିମୁଖେ ଯାଉଥିଲା । ତେବେ ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଗାୟତ୍ରୀ ପେଟ୍ରୋଲ ପମ୍ପ୍ ନିକଟରେ ଏହାର ବାମ ଚକଟି ଏକ ଖାଲରେ ପଡିଯାଇଥିଲା । ଫଳରେ ଚକଟି ଗାଡ଼ିରୁ ଅଲଗା ହୋଇ ଯାଇଥିଲା। ଗାଡିଟି ଭାରସାମ୍ୟ ହରାଇ ପେଟ୍ରୋଲ ଟାଙ୍କିର ବେଢାରେ ଧକ୍କା ହୋଇ ରାସ୍ତା କଡ଼କୁ ଓଲଟି ପଡି ଥିଲା । ଅଳ୍ପକେ ରକ୍ଷା ପାଇଲେ ଡ୍ରାଇଭର ଓ ହେଲପର । ଅପରପକ୍ଷରେ ଲୋକମାନେ ପେଟି ପେଟି ଚିଙ୍ଗୁଡି ବୋହି ନେଇଥିବାର ଜଣାପଡିଛି ।