ଆସନ୍ତାକାଲି ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଏହାକୁ ନଜରରେ ରଖି ସରକାର ସାରା ରାଜ୍ୟରେ ବୁଧବାର ଠାରୁ ୧୪ ଦିନିଆ ଲକଡାଉନ ଲାଗୁ କରିବାକୁ ଯାଉଛନ୍ତି। ଏହି ସମୟରେ ସମସ୍ତ ଦୋକାନବଜାର,ମଲ, ହଲ, କାର୍ଯ୍ୟକ୍ରମ, ସାଧାରଣ ଚଳପ୍ରଚଳ ଆଦି ବନ୍ଦ ରହିବ । କେବଳ ସକାଳ ୬ରୁ ୧୨ ଯାଏଁ ଜରୁରୀ ପରିବା ଓ ତେଜରାତି ଦୋକାନ ଖୋଲା ରହିବ । ସେହିପରି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସେହିସବୁ ରାଜ୍ୟକୁ ଲାଗିଥିବା ଓଡ଼ିଶା ସୀମାକୁ ସିଲ୍ କରିଦିଆଯାଇଛି। ସେଠାରେ ପ୍ରବେଶ ପଥଗୁଡିକରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଉକ୍ତ ରାଜ୍ୟଗୁଡିକରୁ ଜନସାଧାରଣଙ୍କୁ ଓଡ଼ିଶାକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ତାଲାବନ୍ଦ। ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶେଷ ଅସ୍ତ୍ର ଭାବରେ ସରକାର ଏହାକୁ ପ୍ରୟୋଗ କରିଛନ୍ତି। ମେ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ କାର୍ଯ୍ୟକାରୀ ହେବ ତାଲାବନ୍ଦ। ଏଥିରୁ ଅନେକ ସୁଫଳ ମିଳିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ତାଲାବନ୍ଦ ସମୟରେ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତେଜରାତି ସାମଗ୍ରୀ, କ୍ଷୀର, ପନିପରିବା, ଗୋଟିକିଆ ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ। ଏଥିସହିତ ଗୋଖାଦ୍ୟ, ସାର, ବିହନ, ସିମେଣ୍ଟ, ଲୁହାଛଡ, ବହି ଦୋକାନ ଖୋଲା ରହିବ। ଜନସାଧାରଣ ସେମାନଙ୍କ ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଚାଲିଚାଲି ଯାଇ ଏହିସବୁ ସାମଗ୍ରୀ କିଣିପାରିବେ। ତେବେ ସେମାନଙ୍କୁ କୋଭିଡ କଟକଣା ସଂପୂର୍ଣ୍ଣ ଭାବରେ ପାଳନ କରିବାକୁ ହେବ। ଏଥିସହିତ ତାଲାବନ୍ଦ ସମୟରେ ଔଷଧ ଦୋକାନ, ସରକାରୀ ଓ ଘରୋଇ ଡାକ୍ତରଖାନା, ପାଥୋଲାବ ଆଦି ଖୋଲା ରହିବ। ପଣ୍ୟ ସାମଗ୍ରୀ ପରିବହନ, କୃଷିକାର୍ଯ୍ୟ ଆଦିକୁ ମଧ୍ୟ ତାଲାବନ୍ଦରୁ ବାଦ୍ ଦିଆଯାଇଛି। ତେବେ ବସ୍, ଅଟୋ ଭଳି ସମସ୍ତ ଗଣପରିବହନ ବ୍ୟବସ୍ଥା ବନ୍ଦ ରହିବ। ତାଲାବନ୍ଦ ସମୟରେ କୋଭିଡ ଟିକାକରଣ ଚାଲୁ ରହିବ। ତେବେ ସପ୍ତାହାନ୍ତ ସଂପୂର୍ଣ୍ଣ ବନ୍ଦ ପୂର୍ବଭଳି ଜାରି ରହିବ। ଏହି ଦୁଇଦିନ ଔଷଧ ଦୋକାନ ଭଳି କେତେକ ଅତ୍ୟାବଶ୍ୟକ ସେବାକୁ ବାଦ୍ଦେଲେ ଅନ୍ୟ ସମସ୍ତ ବନ୍ଦ ରହିବ। ତାଲାବନ୍ଦ ସମୟରେ ହୋମ ଡେଲିଭରୀ (ବାସଗୃହକୁ ସାମଗ୍ରୀ ପହଞ୍ଚାଣ)କୁ ଅନୁମତି ଦିଆଯାଇଛି।