ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ୍ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ହୁ ହୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି। ଦୈନିକ କରୋନା ସଂକ୍ରମଣ ୭ ଶହରୁ ଅଧିକ ହେଲାଣି। କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପି ଚାଲିଥିବାରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଚାଲୁଥିବା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ାକୁ ସରକାର ବାତିଲ କରିଦେଇଛନ୍ତି।
ନିଷ୍ପତ୍ତି ଅନୁସାରେ ଏପ୍ରିଲ ୮ ତାରିଖରୁ ରାଜ୍ୟରେ ୯ମ ଓ ଏକାଦଶ ଶ୍ରେଣୀ ପାଇଁ ଅଫ୍ଲାଇନ୍ରେ ପାଠପଢ଼ା ହେବ ନାହିଁ। ଏପ୍ରିଲ ୩୦ ଯାଏଁ ଏହି ନିଷ୍ପତ୍ତି ଲାଗୁ ରହିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ଏପ୍ରିଲ ୨୫ ଯାଏଁ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ପରୀକ୍ଷା ନଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ହୋଇଛି। ଯେଉଁମାନଙ୍କର ପରୀକ୍ଷା ଚାଲୁଛି ସେମାନେ ପରୀକ୍ଷା ସରିବା ମାତ୍ରେ ହଷ୍ଟେଲ ଖାଲି କରନ୍ତୁ। ଯେଉଁମାନଙ୍କ ପରୀକ୍ଷା ବାକି ଅଛି ଓ ସେମାନେ ହଷ୍ଟେଲରେ ରହୁଛନ୍ତି। ସେ କ୍ଷେତ୍ରରେ ଜଣେ ପିଲା ସିଙ୍ଗଲ ରୁମରେ ରହିବେ ଓ କୋଭିଡ ନିୟମ ମାନିବେ। ସୂଚନା ଯେ, ଗତ ଫେବ୍ରୁଆରି ୮ ତାରିଖରେ ନବମ ଓ ଏକାଦଶ ସ୍କୁଲ ଖୋଲିଥିଲା। ଏହା ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଜାନୁଆରି ଠାରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। କରୋନା କଟକଣାରେ ସ୍କୁଲ ଖୋଲିଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରିଥିଲେ।