ବାଲେଶ୍ୱର : ଟାଉନ ହାଇସ୍କୁଲ ପରିସରରେ ଜିଲାସ୍ତରୀୟ ୭୨ତମ ବନ ମହୋତ୍ସବ ପାଳିତ
![](https://thetruths.in/wp-content/uploads/2021/07/Town-highschool-1024x768.jpg)
ବାଲେଶ୍ୱର : ବୃକ୍ଷରୋପଣ କରିବା ପାଇଁ ସଚେତନତା ବୃଦ୍ଧି ଓ ପ୍ରୋତ୍ସାହିତ କରାଯିବା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ ୧ରୁ ୭ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ୭୨ତମ ବନ ମହୋତ୍ସବ-୨୦୨୧କୁ ମଙ୍ଗଳବାର ବାଲେଶ୍ୱର ଜିଲାସ୍ତରରେ ଟାଉନ ହାଇସ୍କୁଲ ପରିସରରେ ପାଳନ କରାଯାଇଅଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡ, ବାଲେଶ୍ୱର ଓ ଚାନ୍ଦିପୁର ବନ୍ୟପ୍ରାଣୀ ବନାଞ୍ଚଳ, ବାଲେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଡିଏଫ୍ଓ ବିଶ୍ୱରାଜ ପଣ୍ଡା, ପ୍ରୋବେସନର ଆଇଏଏସ୍ କୁନାଲ ଚୌହାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । ଗଛ ବିନା ଆମେ ବଂଚିବା ଅସମ୍ଭବ । ଗଛ ନଷ୍ଟ କଲେ ପରିବେଶ ନଷ୍ଟ ହେବ । ମୃତିକା କ୍ଷୟ ଠାରୁ ଆରମ୍ଭ କରି ଉତାପ ବୃଦ୍ଧି, ପାଣିପାଗର ଅନିୟମିତତା, ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ବଢି ଚାଲିବ । ଏ ସବୁ ପ୍ରାକୃତିକ ଦୁର୍ବିପାକରୁ ପ୍ରାଣୀ ଜଗତକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି ହିଁ ଏକମାତ୍ର ବିକଳ୍ପ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବନ ମହୋତ୍ସବ ସପ୍ତାହ ପାଳନ ଆଧାରର କେବଳ ୭ଦିନ ଧରି ଗୁଡିଏ ଗଛ ଲଗାଇଦେଲେ କି ଲଗାଇ ଦେଇ ବନ ମହୋତ୍ସବ ସରିଗଲା ଭାବି ରହିଗଲେ ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ଲଗାଯାଇଥିବା ଚାରା ବଡ ବୃକ୍ଷଟିଏ ହେବା ପର୍ଯ୍ୟନ୍ତ ତା’ର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ଅଛି ।
ଡିଏଫ୍ଓ ବାଲେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟକୁ ସହକାରୀ ବନ ସଂରକ୍ଷକ ଶରତ ଚନ୍ଦ୍ର ବେହେରା, ଚାନ୍ଦିପୁର ବନାଂଚଳ ଅଧିକାରୀ ଗଣେଶ ପ୍ରସାଦ ଲେଙ୍କା ତଦାରଖ କରିଥିଲା ବେଳେ ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ଜେନା, ଟାଉନ ହାଇସ୍କୁଲର ସବୁଜ ବାହିନୀର ମାର୍ଗଦର୍ଶକ ଶିକ୍ଷକ ଅକ୍ଷୟ କୁମାର ପାତ୍ର, ଶିକ୍ଷକ ଏବଂ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଆନୁଷଙ୍ଗିକ ସହଯୋଗ କରିଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ସନ୍ଦୀପ ଖଟୁଆ, ସଦର ବିଇଓ ସ୍ନିଗ୍ଧା ପଣ୍ଡା ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।