ବାଲେଶ୍ୱର : ଆନନ୍ଦମାର୍ଗ ପକ୍ଷରୁ କରୋନା-ବାତ୍ୟା ପ୍ରଭାବିତଙ୍କୁ ସହାୟତା ଜାରି
![](https://thetruths.in/wp-content/uploads/2021/07/Ananda-Marg.jpg)
ବାଲେଶ୍ୱର : ଆନନ୍ଦମାର୍ଗ ୟୁନିଭର୍ସଲ ପକ୍ଷରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର କରୋନା ମହାମାରୀ ଏବଂ ବାତ୍ୟା ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆନନ୍ଦମାର୍ଗ ମୟୁରଭଞ୍ଜ ଡାଇଓସିସର ସମ୍ପାଦକ ତଥା ଫୁଲାଡି ଆନନ୍ଦମାର୍ଗୀ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଆଚାର୍ଯ୍ୟ ସତ୍ୟସୁଧାନନ୍ଦ ଅବଧୂତ ଯୋଗଦେଇ ବିଶ୍ୱ ବିପତ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଅସହାୟଙ୍କୁ ସହାୟତା ପ୍ରଦାନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସିଙ୍ଗାପୁରର ଟୁଚି ଫାଉଣ୍ଡେସନ ଓ ଆନନ୍ଦ ନଗର ଡେଭେଲୋପମେଣ୍ଟ ସୋସାଇଟି ସହଯୋଗରେ ଦୁଇ ଜିଲାର ପ୍ରଭାବିତଙ୍କୁ ସହାୟତା ପ୍ରଦାନ ଜାରି ରହିଥିବା ସେ ସୂଚନା ଦେଇଥିଲେ ।
ବାଲେଶ୍ୱର ଆନନ୍ଦମାର୍ଗ ସଂଘର ସମ୍ପାଦକ ଡ.ଭାସ୍କର ଚନ୍ଦ୍ର ଜେନା ଏଥିରେ ଯୋଗଦେଇ ସଂଗଠନର ସେବାକାର୍ଯ୍ୟର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସଂଗଠନ ପକ୍ଷରୁ ଜୁନ ଓ ଜୁଲାଇ, ଦୁଇ ମାସ ଧରି ପ୍ରଭାବିତ ଅଞ୍ଚଳର ହିତାଧିକାରୀଙ୍କ ରିଲିଫ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଥିବା ସେ କହିଥିଲେ । ବିଭିନ୍ନ ବ୍ଲକର ପ୍ରଭାବିତଙ୍କୁ ବାସନ କୁସନ, ଚାଉଳ, ଅଟା, ଚୁଡା, ଡାଲି, ଚିନି, ସୋୟାବିନ ବଡି, ସୁଜି, ଖାଇବା ତେଲ, ଲୁଣ, ବିସ୍କୁଟ ପ୍ରଭୃତି ଏକ ମାସର ରାସନ ସାମଗ୍ରୀ ସହ ସାନିଟାଇଜର, ସାବୁନ ଓ ତୁଣ୍ଡି ପ୍ରଭୃତି ପ୍ରଦାନ କରାଯାଉଛି । ଏହି କାର୍ଯ୍ୟରେ ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକଙ୍କ ସମେତ ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନେ ବେଶ ସହଯୋଗ କରୁଥିବାରୁ ଡ. ଜେନା ସମସ୍ତଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଦୁଇ ଜିଲାର ମୋଟ ୩ହଜାରରୁ ଉର୍ଦ୍ଧ୍ୱ ପରିବାରଙ୍କୁ ସହାୟତା ପ୍ରଦାନ ନେଇ ଲକ୍ଷ୍ୟ ଥିବା ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦମାର୍ଗ ଦିଲୀ ଶାଖା ସେବାଦଳର ଉପ-ନିର୍ଦ୍ଦେଶକ ଆଚାର୍ଯ୍ୟ ଅରିନ୍ଦମାନନ୍ଦ ଅବଧୂତ, ସଂଘର ବରିଷ୍ଠ ସଦସ୍ୟ ଇଂ ପ୍ରତାପ ଚନ୍ଦ୍ର ନାୟକ ଓ ଚୌଧୁରୀ ଶରତ ଚନ୍ଦ୍ର ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।