ଆସନ୍ତାକାଲି ମାଞ୍ଚେଷ୍ଟରରେ ୫ମ ଟେଷ୍ଟ

- ଭାରତର ଆଉ ଜଣେ ସଦସ୍ୟ କରୋନା ଆକ୍ରାନ୍ତ
ଭାରିତୀୟ ଦଳର ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ବେଳେ ୫ମ ମ୍ୟାଚ୍ ପାଇଁ ହେବାକୁ ଥିବା ଟ୍ରେନିଂ ବନ୍ଦ ରହିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ଟେଷ୍ଟ । ଏହା ପୂର୍ବରୁ ଗୁରୁବାର ଟିମ ଇଣ୍ଡିଆର ଟ୍ରେନିଂ ସେସନ୍ ମଧ୍ୟ ରଦ୍ଦ କରିଦିଆଯାଇଛି । ଯୋଗେଶ ପରମାରଙ୍କ ପୂର୍ବରୁ ଦଳର ମୁଖ୍ୟ ଫିଜିଓ ନିତିନ୍ ପଟେଲ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେଣୁ ଭାରତର ଉଭୟ ଫିଜିଓ କରୋନା ସଂକ୍ରମିତ ହୋଇସାରିଥିବାରୁ ଭାରତକୁ ଇଂଲଣ୍ଡ ଫିଜିଓଙ୍କ ସହାୟତା ନେବାକୁ ହେବ । ଟିମ ଇଣ୍ଡିଆର ଏକାଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଆଗାମୀ ସୂଚନା ଯାଏଁ ନିଜ ନିଜ ହୋଟେଲ ରୁମ୍ରେ ରହିବାକୁ କୁହାଯାଇଛି । ବୁଧବାର ସନ୍ଧ୍ୟାରେ କରାଯାଇଥିବା କରୋନା ଟେଷ୍ଟରେ ସହଯୋଗୀ ଫିଜିଓ ଯୋଗେଶ ପରମାର ସଂକ୍ରମିତ ହୋଇଥିବା ଜଣାପଡିଛି । ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ପରେ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମ ବଡ଼ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କୋଚ୍ ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରୋ ବିସିସିଆଇ ଏହି ମାମଲାରେ ଶାସ୍ତ୍ରୀ ଓ କୋହଲିଙ୍କୁ ଜବାବ ମଧ୍ୟ ମାଗିଥିଲା। କିନ୍ତୁ ଏବେ କୋଭିଡର ନୂଆ ମାମଲା ବିସିସିଆଇର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଟିମର ଅଧିକାଂଶ ଖେଳାଳି ନିଜ ନିଜର ପରିବାର ସହ ଇଂଲଣ୍ଡରେ ଅଛନ୍ତି ଏବଂ ସେମାନଙ୍କର ସହ ଛୋଟ ଛୁଆମାନେ ମଧ୍ୟ ଅଛନ୍ତି।
ସୂଚନା ଯେ, ପାଞ୍ଚମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା। ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୨୯୦ ରନ୍ କରି ୯୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ରୋହିତ୍ ଶର୍ମାଙ୍କ ଶତକ ସାଙ୍ଗକୁ ଶାର୍ଦ୍ଦୁଲ ଠାକୁର ଓ ଋଷଭ ପନ୍ତଙ୍କ ଉପଯୋଗୀ ଇନିଂସ୍ ବଳରେ ଭାରତ ୪୬୬ ରନ୍ କରି ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଏକ ସମୟରେ ବିନା ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। କିନ୍ତୁ ପରେ ଟିମ୍ ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା।