ବାଲେଶ୍ୱରରେ ୫-ଟି ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ

ବାଲେଶ୍ୱର : ବାଲେଶ୍ୱର ଗସ୍ତରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ପୂର୍ତ୍ତ ସଚିବ । ମଙ୍ଗଳବାର ସକାଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ୱର ଗସ୍ତରେ ଆସିଛନ୍ତି ।
ସକାଳ ୭ଟା ୪୦ମିନିଟ ସମୟରେ ହେଲିକପ୍ଟର ଯୋଗେ ଆସି ବାଲେଶ୍ୱର ସହରର ପୋଲିସ ପରେଡ୍ ପଡ଼ିଆରେ ଓହ୍ଲାଇଥିଲେ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ୩ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ପ୍ରଥମେ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ। ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସହର ତଥା ଆଖପାଖ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ସେସବୁର ସମୀକ୍ଷା କରିବେ ୫ଟି ସଚିବ। ସେହିପରି ୯ଟା ୧୫ ମିନିଟରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ପରେ ୯ଟା ୪୫ମିନିଟ ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।