୧.୪୬ଲକ୍ଷ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

- ୨୬ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକ
- ସୃଷ୍ଟି ହେବ ୨୭ ହଜାର ନିଯୁକ୍ତି
ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଧାତବ (ମେଟାଲ)ତଥା ଧାତବ ଡାଉନ୍ଷ୍ଟ୍ରିମ୍? କ୍ଷେତ୍ରରେ ୧,୪୬,୧୭୨ କୋଟି ଟଙ୍କାର ୫ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହି ୫ଟି ପ୍ରକଳ୍ପ ମାଧ୍ୟମରେ ୨୬୯୫୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୬ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଂଜୁରୀ ଦିଆଯାଇଛି । ଏସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଭୁଷଣ ପାୱାର ଏଣ୍ଡ ଷ୍ଟିଲ, ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର, ଟାଟା ଷ୍ଟିଲ୍ ଏବଂ ରୁଙ୍ଗଟା ମାଇନ୍ସର ୨ଟି ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ କାର୍ଯ୍ୟ । ସମ୍ବଲପୁର ଜିଲ୍ଲାରେ ଥିବା ଭୁଷଣ ପାୱାର ଏଣ୍ଡ ଷ୍ଟିଲର ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ୧୫ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ ଅତିରିକ୍ତ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କଳିଙ୍ଗନଗରଠାରେ ଥିବା ଟାଟା ଷ୍ଟିଲ କାରଖାନାର କ୍ଷମତାକୁ ବର୍ତମାନର ବାର୍ଷିକ ୩ ନିୟୁତ ଟନରୁ ୭ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ କମ୍ପାନି ୪୭,୫୯୯ କୋଟି ପୁଞ୍ଜିନିବେଶ କରିବ ଓ ଏହା ଦ୍ୱାରା ୪୬୨୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଅନ୍ୟପକ୍ଷରେ ଅନୁଗୁଳଠାରେ ଥିବା ଜେଏସପିଏଲର ଇସ୍ପାତ କାରଖାନାର କ୍ଷମତାକୁ ବର୍ତମାନର ୬ ନିୟୁତ ଟନରୁ ୧୮.୬ ନିୟୁତ ଟନ କରିବାକୁ କମ୍ପାନି ପୂର୍ବରୁ ପ୍ରସ୍ତାବ ଦେଇଥିବାବେଳେ ଏବେ ଏହାକୁ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ଏହି ପ୍ରକଳ୍ପରେ କମ୍ପାନି ୨୪,୬୫୨ କୋଟି ପୁଞ୍ଜିନିବେଶ କରିବ ଓ ଏହା ଦ୍ୱାରା ଅତିରିକ୍ତ ୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସଂପ୍ରସାରଣ ପରେ ଜେଏସପିଏଲର ଅନୁଗୁଳ କାରଖାନା ବିଶ୍ୱର ବୃହତମ ଇସ୍ପାତ କାରଖାନାରେ ପରିଣତ ହେବ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଳ୍ପ, ଏମ୍ଏସ୍ଏମ୍ଇ, ଶକ୍ତି, ଗୃହ (ରାଜ୍ୟ) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ବୈଠକରେ ଯୋଗଦେଇଥିଲେ ।